ସାତ ଜନମକୁ ସଖା
ସାତ ଜନମକୁ ସଖା
କଇଁ ଲୋ, ହସୁଛୁ କିରିକିରି ହୋଇ
ଏଇ ସରସୀର ଜଳେ,
ଜନ ମନ ପରା ମୋହି ନେଉଅଛୁ
ଫୁଟି ରଙ୍ଗ ନାଲି ନୀଳେ ।
ତୋତେ ଧରିବାକୁ ଭାରି ଇଚ୍ଛାହୁଏ
ହାତ ଯାଏ କିନ୍ତୁ ରହି,
ତୋ ପ୍ରିୟତମଙ୍କ ବାଟ ଚାହିଁଅଛୁ
ସୁରୁଜ ଉତ୍ତାପ ସହି ।
ମୋ ଭଳି ତୋ ମନ ଉଚ୍ଛନ୍ନ ହୁଏକି
ତାଙ୍କ ଭେଟ ପାଇବାକୁ,
ଗୋଟି ଗୋଟି ହୋଇ ବୁକୁତଳ କଥା
କାନ ପାଶେ କହିବାକୁ !
ତୋ ପରାଣବନ୍ଧୁ ଦୂର ଆକାଶରେ
ନିଶିରେ ଦିଅନ୍ତି ଦେଖା,
ମୋ ବନ୍ଧୁ ବି ମୋର ଅତି ଆପଣାର
ସାତ ଜନମକୁ ସଖା ।
କଥା ଦେଇ ସେ ମୋ ହାତ ଧରିଛନ୍ତି
ସୁଖେ ଦୁଃଖେ ସହଭାଗୀ,
ସେପରି ଜହ୍ନକୁ ସରଗେ ବିଧାତା
ଗଢ଼ିଛନ୍ତି ତୋହଲାଗି ।
ଆମ ଦୁହିଁଙ୍କର ଜୀବନର ଲକ୍ଷ୍ୟ
ପ୍ରିୟତମଙ୍କର ହିତ,
ସମର୍ପି ଦେଇଛେ ଏ ପ୍ରାଣ ତାହାଙ୍କୁ
ସେ ଆମ ମନର ମିତ ।

