ସାର୍ଥକ ପ୍ରେମ କାହାଣୀ
ସାର୍ଥକ ପ୍ରେମ କାହାଣୀ
ରାଣୀ
ସୁନାର କଙ୍କଣ ମୋତି କି ମାଣିକ
ନ ଥାଉ ବଙ୍ଗଳା କୋଠା ,
ହାତ ଧରି ମୋର ବାଟ ଚାଲିବାକୁ
ଦେଇଗଲ ମୋତେ କଥା ।
ପ୍ରଶାନ୍ତ
କଥା ଦେଇଥିଲି ହାତ ମୁଁ ଧରିଲି
ମଥାରେ ସିନ୍ଦୂର ଦେଇ
ତୁମ ସାଥେ ସଖି ବାଟ ଚାଲିବାକୁ
ଯୁଗ ଯୁଗାନ୍ତର ପାଇଁ ।।
ରାଣୀ
ଟୋପାଏ ସିନ୍ଦୁର ସିନ୍ଥିରେ ଯେ ଦେଇ
କରିଲ ସାତ ଜନ୍ମ ର ,
ହାତେ ମୋର ପିନ୍ଧି ଶଙ୍ଖାରୁ ଦି ପଟ
ସାଜେ ଅର୍ଦ୍ଧାଙ୍ଗୀ ତୁମର ।
ପ୍ରଶାନ୍ତ
ବରମାଲ୍ୟ ଦେଇ ଅର୍ଦ୍ଧାଙ୍ଗିୀ ସାଜିଲ
ସାଥୀ ମୁଁ ଯୁଗ ଯୁଗର
କଥା ମୁଁ ଦେଉଛି ଆଗୋ ପ୍ରାଣ ପ୍ରିୟା
ସାଥୀ ମୁଁ ଦୁଃଖ ସୁଖର।।
ରାଣୀ
ସାତ ଫଗୁଣ ର ରଙ୍ଗ ନେଇ ଆଜି
ପ୍ରିୟ ତୁମ ବଧୂ ସାଜିଛି ,
ରଜନୀ ଗନ୍ଧାରେ ଜୁଡାକୁ ସଜେଇ
ଲାଜବତୀ ତୁମ ହସୁଛି ।
ପ୍ରଶାନ୍ତ
ତୁମେ ଲାଜବତୀ ତୁମେ ମୌନାବତୀ
ତୁମେ ମୋ ପ୍ରୀତି ଚନ୍ଦନ
ରଜନୀଗନ୍ଧା ର ବାସ ଚହଟାଇ
ଜିଣି ନେଲ ମୋର ମନ ।।
ରାଣୀ
ଦୂରେ ଥିଲେ ତୁମେ ବିରହରେ ମୋର
ମନ କେବେ ବୁଝେ ନାହିଁ,
ମିଳନ ଶେଯରେ ପାଖେ ବସ ଯେବେ
ଲାଜେ ଯାଏ ମୁଁ ନଇଁ ।
ପ୍ରଶାନ୍ତ
ବିରହ ଜ୍ୱାଳାରେ ଜଳୁଥିଲି ମୁଁ ' ଯେ
ବୁଲୁଥିଲି ବଣ ଭୂଇଁ
ଶଯ୍ୟା ସଙ୍ଗିନୀ ଗୋ ତୋ ' ପ୍ରେମ ସୁଧାରେ
ଭସାଇ ଦେ' ମୋତେ ନେଇ ।।
ରାଣୀ
ତୁମ ଓଠ ଛୁଆଁ ସୁନାର ଦେହ ରେ
ଯେବେ ଦେଲ ମୋତେ ଛୁଇଁ,
ଭଲପାଅ ବୋଲି କେତେ ମୋର ସାଥୀ
ଜାଣିଗଲି ଆଜି ମୁହିଁ ।
ପ୍ରଶାନ୍ତ
ପ୍ରିୟତମା ମୋର ସନ୍ଦେହ ନକର
ସଂକଳ୍ପ କରୁଛି ମୁହିଁ
ଏକ ପତ୍ନୀବ୍ରତ ପାଳନ କରିବି
ତୁମରି ସୁହାଗେ ରହି ।।
ରାଣୀ
ଜହ୍ନ ଜୋଛନା ରେ ଆମରି ଓଠରେ
ମିଳନ ର ମଧୁଗୀତି ,
ଯୁଗ ଯୁଗ ପାଇଁ ଜୀଇଁ ରହିଥିବ
ଆମ ପ୍ରେମ ନୂଆ ଛବି ।
ପ୍ରଶାନ୍ତ
ଜହ୍ନ ଜୋଛନା ରେ ମିଳନ ତିଥିରେ
ମୂକସାକ୍ଷୀ ମଧୁଶାଳା
ସ୍ମୃତି ପଟ୍ଟ ଚିତ୍ର କରଇ ଅଧିର
ଚନ୍ଦ୍ରକାନ୍ତି ମଧୁବାଳା ।।
ରାଣୀ
ପ୍ରେମ ରେ ଲାଗିଛି ସିନ୍ଦୁର ର ଗାର
ଦେହରେ ଗୋଲାପି ଶାଢୀ ,
ନାରୀ ଜନମ ମୋ ପୂରଣ ହୋଇଛି
ସାର୍ଥକ ପ୍ରେମ କାହାଣୀ ।
ପ୍ରଶାନ୍ତ
ମଧୁଜାମିନୀ ର ଶୂନ୍ୟତା ରାତ୍ରୀରେ
ତୁମେ ସାଥୀ ଅନାମିକା
ଝୁଣ୍ଟିବା ଆଗରୁ ହାତ ଥାମି ନେଲ
ସାଜି ଜୀବନ ନାୟିକା ।।
ପ୍ରଶାନ୍ତ
ସାର୍ଥକ ହୋଇଲା ପ୍ରେମର କାହାଣୀ
ପ୍ରେମ ଶାଶ୍ଵତ ସୁନ୍ଦର
ରାଣୀ ତୁମେ ମୋର ମୁଁ ଯେ ତୁମର
ଲାଗିଲା ପ୍ରେମେ ମୋହର ।।