ସାର୍ଥକ ହେଉ ମୋ' ବାଣୀ
ସାର୍ଥକ ହେଉ ମୋ' ବାଣୀ
ନିଜ ଗାଆଁ ମାଟି ପଡିଅଛି ଫାଟି
ଆସ ବଢାଇବା ହାତ
ଖଟାଇଲେ ବଳ ମିଳିବ ସୁଫଳ
ଅଭାବ ହେବନି ଭାତ ।
ଗ୍ରାମ ନଈନାଳ ବନ୍ଧାଇବା ଚାଲ
ଛିଡା ହେବ ଆନିକଟ
ଜଳ ସଂରକ୍ଷଣେ ପରବର୍ତ୍ତୀ କ୍ଷଣେ
ସବୁଜ ରହିବ ତଟ ।
ଯଦି ଦିବାନିଶି ଆମେ ମିଳିମିଶି
କରୁଥିବା ଶ୍ରମଦାନ
କେତୋଟି ବରଷେ ଦେଖିବ ହରଷେ
ବିଲରେ ଖେଳିବ ଧାନ ।
ବୁନ୍ଦେଲଖଣ୍ଡରେ ପ୍ରକୃତି ଦଣ୍ଡରେ
ଅନାବୃଷ୍ଟି ଥିଲା ଗ୍ରାସି
ଜୀବିକା ସନ୍ଧାନ ଥିଲା ତ ପ୍ରଧାନ
ଚିନ୍ତା କଲେ ଗ୍ରାମବାସୀ ।
ନିଯୁକ୍ତିର ଆଶେ ଯୁବକେ ପ୍ରବାସେ
କରୁଥିଲେ ପଳାୟନ
ସହି ମଧ୍ୟ ଭୋକ ଥିଲେ କିଛି ଲୋକ
ମାତୃଭକ୍ତି ପରାୟଣ ।
ନହୋଇ ବିମର୍ଷ କରିଲେ ବିମର୍ଶ
ଗ୍ରାମସଭା ଡାକି ଥରେ
ପାଖେ ଥିବା ନଦୀ ବନ୍ଧାଇବା ଯଦି
ଭଲ ହେବ ବର୍ଷା ପରେ ।
ତହୁଁ କେତେଜଣ ସ୍ଥାନ ନିରୂପଣ
ପାଇଁ ଜନମତ ନେଲେ
ପ୍ରତି ପରିବାର କାମ କରିବାର
ପ୍ରତିଶ୍ରୁତି ମଧ୍ୟ ଦେଲେ ।
ମୃତ୍ତିକା ପ୍ରସ୍ତର ଥୋଇ ସ୍ତର ସ୍ତର
ଦୁଇଗୋଟି ଭିନ୍ନ ସ୍ଥାନେ
ଆସବାବ-ହସ୍ତେ ଲାଗିଲେ ସମସ୍ତେ
ମାଟିବନ୍ଧ ନିରିମାଣେ ।
ନଦୀବନ୍ଧ କୂଳେ ରୋପିଥିଲେ ପୁଳେ
ବୃକ୍ଷ ସମ୍ବର୍ଦ୍ଧନ କରି
ବର୍ଷାଜଳ ସଞ୍ଚି ଥିବା ଯୋଗୁଁ ବଞ୍ଚି
ସବୁଜିମା ଗଲା ଭରି ।
ଏବେ ବାରମାସ ହୋଇଲାଣି ଚାଷ
ଯୁବାଏ ଆସିଲେ ଫେରି
ତେବେ କିଆଁ ଭାଇ ବାନ୍ଧିବାକୁ ଘାଇ
ଆମେ କରୁଥିବା ଡେରି ?
କରିନିଅ ଯାଞ୍ଚ ଏହି କଥା ପାଞ୍ଚ
ଗ୍ରାମେ ନାହିଁ ଯଦି ପାଣି
ନିଜ ଚେଷ୍ଟା ବଳେ ବଞ୍ଚାଅ ଉତ୍କଳେ
ସାର୍ଥକ ହେଉ ମୋ' ବାଣୀ ।
