ସାରକଥା
ସାରକଥା
ସୁଖେ ଅଭିମାନ ନ ରଖି ଧୀମାନ
ଦୁଃଖେ ଜାଣି ଆତ୍ମବଳ
ହିତାହିତ ହେଜି ଆତୁରତା ତେଜି
ଅନ୍ତେ ପାଏ ଲକ୍ଷ୍ୟସ୍ଥଳ ।
ଦୟା କ୍ଷମା ସତ୍ୟ ପ୍ରତି ଆନୁଗତ୍ୟ
ନ ରଖିଲେ ନିଜ ଠାରେ
ମର୍ତ୍ତ୍ୟେ ଜନ୍ମି ନର ଅଢେ଼ଇ ଦିନର
ଅବଧିରେ ମଧ୍ୟ ହାରେ ।
ସଂଶୟ ନାହିଁ ଲେଶ ଯହିଁ ହିଂସା ଦ୍ୱେଷ
ଜାଳୁଥାଏ ତିଳେ ତିଳେ
ସଦ୍ଭାବରେ ଧ୍ୟାନ ଥିବା ଯାଏଁ ଆନ
ସହାନୁଭୂତି ବି ମିଳେ ।
ପ୍ରପଞ୍ଚ ବା ଛଳେ ନ ରହିବା ଫଳେ
ଆତ୍ମାର ଯେହେତୁ ହିତ
କୌଣସି ପ୍ରକାରେ ପର ଉପକାରେ
ନିବେଶି ରଖିବା ଚିତ୍ତ ।
ସମ୍ପର୍କର ସେତୁ ଦୃଢ ଥିବା ହେତୁ
ମିଳେ ଯେଉଁ ସହଯୋଗ
ସେହିସବୁ ପାଇ ଦୁଃସମୟେ ଯାଇ
ଆଶ୍ୱସ୍ତି ହୁଅଇ ଭୋଗ ।
ଏହି ସାରକଥା ନବୁଝି ଅଯଥା
ଘାଣ୍ଟି ହେଉଥିବା ଯେବେ
ଝଡଝଞ୍ଜା ସହି ଅସମର୍ଥ ରହି
ଭାଗ୍ୟଦୋଷ କହୁ ତେବେ ।
ଅସହଜ ପଥେ ପାରି ହେବା ଅର୍ଥେ
ଚାଲେ ଯିଏ ଧୈର୍ଯ୍ୟ ସହ
ନୋହି ପରାଜିତ ହୁଅଇ ମାର୍ଜିତ
ସଂସାରେ ସେ ଅହରହ ।
