ସାଇତା ହୃଦୟ
ସାଇତା ହୃଦୟ
ରଖିଥିବ ଯଦି ଖୋଲି ଦେଖ ଥରେ
ସେ ପାଖୁଡ଼ା ଭିତରେ ଆଜି ବି ରହିଛି
ସାଇତା ହୃଦୟ ମୋର,
ରଙ୍ଗ କିନ୍ତୁ ଥିବ ଅମଳିନ ତାର
ସେଥିରେ ଆଜି ବି ପ୍ରବାହିତ ହୁଏ
ମୋ ଉଷ୍ମ ଶୋଣିତ ଧାର।
ଦେଇଥିଲି ଯେବେ ସେ ଫୁଲରେ ଯେତେ
କଣ୍ଟା ଥିଲା ସବୁ ନିର୍ମଳ କରି
ସମ୍ପିଥିଲି ତୁମ ହାତେ,
ଫୁଲ ସାଥେ ମୋର ମନଟାକୁ ଗୁନ୍ଥି
ଧରାଇ ଦେଲି ମୁଁ ତୁମେ ହେବ ବୋଲି
ସାମ୍ରାଜ୍ଞି ମୋ ଜଗତେ।
ଜିତିବା ଆଶାରେ ତୁମ ହୃଦୟକୁ
ଧରା ଦେଇଥିଲି ପଞ୍ଜୁରୀରେ ତୁମ
ପୋଷା ଚଢ଼େଇଟେ ପରି,
ମୁଁ କି ଜାଣିଥିଲି କୌତୁକ ତୁମ ସରିଗଲା ପରେ
ଏମିତି ଭାଙ୍ଗିବ ମୋର ଆଶା ସୌଧ
ମୁଁ ନିଜ ବାଜି ଗଲି ହାରି।
ଦେଖ ସେ ପାଖୁଡ଼ା କାନ୍ଦୁଥିବ ଏବେ
ତୁମ ଅନାଦରେ ତୁମ ପାଶେ ରହି
ବାଧ୍ୟ ବନ୍ଦୀଟିଏ ପରି,
ପାରିବ ଯଦି ଫେରାଇ ଦିଅ ସେ
ଫୁଲ ସହ ମୋର ଅକ୍ଷତ ହୃଦରେ
ସୁପ୍ତ ସ୍ପନ୍ଦନ ଭରି।
ଏବେ ବି ମୋ ହୃଦ ସ୍ପନ୍ଦିତ ହେଲେ
ଶୁଭିଯାଏ ତୁମ ଅଭୁଲା ନାଁ ର
ମୋହବୋଳା ମଧୁ ଧ୍ୱନୀ,
ଜିଉଁଛି ସିନା ମୁଁ ମରୁଥାଏ କିନ୍ତୁ
କାରଣ ତୁମକୁ ବରିଥିଲି ଦିନେ
ମୋ ଜୀବନର ପ୍ରାଣ ବୋଲି।
ଫିଙ୍ଗିବନି କେବେ ସେ ପାଖୁଡ଼ା କେବେ
ଖଣ୍ଡ ଖଣ୍ଡ ହୋଇ ନହେଲେ ମୋ ହୃଦ
ଭାଙ୍ଗିଯିବ କାଳେ ଦିନେ,
ଫେରାଇ ଦେବ ସେ ଫୁଲଟିକୁ ମୋର
ସେଇ ବାହାନାରେ ଦେଖିବି ତୁମର
ଲାଜୁଆ ଚେହେରା ଆଉଥରେ ଆଉ ଦିନେ।