ସାଇ
ସାଇ
ଦେଖୁଅଛି ଯାହା ବୃକ୍ଷଲତା ତାହା
ତୁମର ସ୍ୱରୂପ ଅଟେ,
ଶାର ଜଗତର ଏକ ସାଇଶ୍ୱର
ଅଛନ୍ତି ସକଳ ଘଟେ ।
ସଂସାର ନାବରେ ନାଉରୀ ରୂପରେ
ବାହୁଛ ଧରିଛ କାତ
ଭଵ ସାଗରରୁ ପାରିକରୁଅଛ
ବିପଦେ ଧରିଛ ହାତ ।
ବିଶ୍ୱପିତାଙ୍କୁ ଯେ ଭୂଲି ଯାଇଥାଏ
ଅହଂକାରେ ବୁଲୁଥାଏ
ମାୟା ଜାଲେ ପଡି ଛଟପଟ ହୁଏ
ଅକାରଣେ ଝଡି ଯାଏ ।
ହରତା କରତା ଦଇବ ବିଧାତା
ସତ ଗୁରୁ ସାଇନାଥ
ବିପଦେ ଆପଦେ ସାଥିଟିଏ ପରି
ଚଳାନ୍ତି ଜୀବନ ରଥ ।
ତିନିଗୁଣ ଯାହା ସତ ରଜ ତମ
ପ୍ରାଣୀଙ୍କ ଭିତରେ ଭେଦ
ସାଇନାମ ଧରି ତୁମକୁ ସମର୍ପି
କରମେ ନରୁହେ ଖେଦ ।
ଭକତ ତୁମର ବିପଦେ ପଡିଲେ
ଉଛନ୍ନ ହୁଅଇ ପ୍ରାଣ
ମହାବିପଦରୁ ଉଦ୍ଧାର କରନ୍ତି
ବଞ୍ଚାଇ ଦିଅନ୍ତି ଜାଣ ।
ପ୍ରାଣୀଙ୍କ ପ୍ରାଣରେ ଫୁଲର ଘ୍ରାଣରେ
ଜଳେ, ସ୍ଥଳେ, ଆକାଶରେ,
ଚଉଦିଗେ ଥାଇ ନିକଟରେ ରହି
ବାହାର ଅବା ପାସରେ ।
ସତଗୁରୁ ନାଥ ସାଇ ମହେଶ୍ୱର
ପରମ ଈଶ୍ୱର ନମଃ
ଆଲ୍ଲା, ଯୀଶୁ, କୃଷ୍ଣ ଯେଉଁ ନାମେ ଡାକ
ଶୁଣନ୍ତି ଠାକୁର ମମ ।
ସବୁ ପ୍ରାଣୀଙ୍କର ହୃଦୟେ ବିରାଜ
ପଦ୍ମ ପତ୍ର ଜଳ ପରି
ଢଳ ଢଳ ପରି ଖେଳୁଥାଏ ହଂସ
ଜନ୍ମ ଜନ୍ମାନ୍ତର ଧରି ।
ଖାଉଛେ, ଯାଉଛେ, ଯାହାବି ଭାବୁଛେ
ଲୁଚାଉଛେ ସେତ ଜାଣେ
ସମୟ ଆସିଲେ ନିଜ ଭୂଲ ପାଇଁ
ପ୍ରାୟଶ୍ଚିତ କରି ଆଣେ ।
ଘରେ କି ବାହାରେ, ଗାଡି କି ଘୋଡାରେ
ବିଲରେ ରହିଲା ବେଳେ
ସାଇ ଜପୁଥିଲେ ମନେ ଭଜୁ ଥିଲେ
ରଖିଥାନ୍ତି ତାଙ୍କ କୋଳେ ।