ସାହିତ୍ୟ
ସାହିତ୍ୟ
ସାହିତ୍ୟ ଅଟଇ ସମାଜ ଦର୍ପଣ ଯୁଗେ ଯୁଗେ ପ୍ରତିଭାତ
ଅକ୍ଷର ବ୍ରହ୍ମରୁ କ୍ଷରେ ଯେଉଁ ହିତ ତାହା ବୋଲାଏ ସାହିତ୍ୟ |
ପୁରାଣରୁ ପରମାଣୁ ଯୁଗଯାଏ ସାହିତ୍ୟ ରଜ୍ଜୁରେ ବନ୍ଧା
ଭୂତ ଭବ୍ୟ ବର୍ତ୍ତମାନର ନିର୍ମାତା ସାକ୍ଷୀ ଦ୍ରଷ୍ଟା ଅନୁସନ୍ଧା |
ଅଷ୍ଟାଦଶ ବିଦ୍ୟା ଜ୍ଞାନ ବିଜ୍ଞାନର ଅସରା ଭଣ୍ଡାର ବହି
ବୈଦିକ କାଳରୁ କଳ କଳ ନାଦେ ବହୁଛି ସାହିତ୍ୟ ନଈ |
ସେ ନୀର ଦର୍ପଣେ ଦେଖୁଛି ମାନବ ସଭ୍ୟତାର ବିବର୍ତ୍ତନ
ରାଜତନ୍ତ୍ରଠାରୁ ଗଣତନ୍ତ୍ରଯାଏ କ୍ରମ ଉତ୍ଥାନ ପତନ |
ସାହିତ୍ୟ ହିଁ କାଳ କପାଳେ ଲେଖୁଛି ପୋଛୁଛି ଆଙ୍କୁଛି ତଥ୍ୟ
ସାହିତ୍ୟ ହିଁ ପ୍ରଗତିର ମାନଦଣ୍ଡ ମାନବର ଇତିବୃତ୍ତ |
ସାହିତ୍ୟ ବିଭବ କାବ୍ୟ ଯେ କବିତା ପ୍ରବନ୍ଧ ନାଟକ ଗଳ୍ପ
ସାହିତ୍ୟ ନନ୍ଦନ କୁସୁମିତ ବନ ନାନା ବର୍ଣ୍ଣେ ସାଜେ ରୂପ |
କାବ୍ୟ ମହାକାବ୍ୟ ଅଟେ ସାହିତ୍ୟର ଶକ୍ତିଶାଳୀ ମେରୁଦଣ୍ଡ
କାବ୍ୟର ଅଭାବେ ସାହିତ୍ୟ ଦୁର୍ବଳ ଅସ୍ଥିହୀନ ମେଦ ପିଣ୍ଡ |
ସାହିତ୍ୟ ଯାହାର ଯେତେ ମହୀୟାନ ସେ ଜାତି ସେତେ ଉନ୍ନତ
କୁସଂସ୍କାର ଅନ୍ଧ ବିଶ୍ୱାସ ଦୂରେଇ ସଂସୃତି କରେ ମାର୍ଜିତ |
କଲମର ମୁନ ବନ୍ଧୁକରୁ ଟାଣ ବୋମାଠାରୁ ଶକ୍ତିଶାଳୀ
ସାରସ୍ୱତ ଧନ ସାହିତ୍ୟ ସାଧନେ ମନ ପ୍ରାଣ ଦେବା ଢାଳି |