STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ସାହିତ୍ୟ-କୋଣାର୍କ ଲେଖନୀ ମୁନରେ

ସାହିତ୍ୟ-କୋଣାର୍କ ଲେଖନୀ ମୁନରେ

2 mins
8


     

କୋଣାର୍କର ସ୍ଥାପତ୍ୟ କଳା ଯେପରି

ସୁକ୍ଷ୍ମ କାରୁକାର୍ଯ୍ୟ ଧାରେ

ଓଡ଼ିଆ ସାହିତ୍ୟ ପ୍ରାୟ ରୁଦ୍ଧିମନ୍ତ

କାବ୍ୟ କବିତା ଆକାରେ

ବିଶ୍ଵ ଦରବାରେ ଚର୍ଚ୍ଚିତ କୋଣାର୍କ

କୌଶଳ କାରିଗରୀ ରେ

ଓଡ଼ିଆ ସାହିତ୍ୟର କାବ୍ୟ କବିତା 

ରୂପକ ଅଳଙ୍କାରରେ

କୋଣାର୍କର ରୂପ ରେଖ ଚମତ୍କୃତ 

ଶିଳ୍ପୀ ନିହଣ ମୁନରେ

ସାହିତ୍ୟ-କୋଣାର୍କ ଗଢ଼ି ଉଠିଥିଲା 

କାବ୍ୟ ଗ୍ରନ୍ଥ ସମ୍ଭାର ରେ

କୋଣାର୍କର ରୂପ ଯାଇଛି ବଦଳି

ଐତିହ୍ୟ ମାନ୍ୟତା ମାତ୍ର

ସାହିତ୍ୟର କୋଣାର୍କ ନାମକୁ ମାତ୍ର

ସ୍ତୁପ ସମ କାବ୍ୟ ଗ୍ରନ୍ଥ

ଭଗ୍ନ ଶିଳା ଖଣ୍ଡ ଥାଇ ବି କୋଣାର୍କ

ଦୃଷ୍ଟି ଆକର୍ଷଣ କରେ

ସାହିତ୍ୟର କୋଣାର୍କ ଗରିମା ପ୍ରାୟ

ଭବ୍ୟ ସମ୍ବର୍ଦ୍ଧନା ଧାରେ


ପୃଥିବୀର ଚିରସ୍ଥାୟୀ ଲୋକତନ୍ତ୍ର

ପ୍ରାୟତଃ ସାହିତ୍ୟ କ୍ଷେତ୍ର

ବିଭିନ୍ନ ସ୍ୱର ର ସ୍ଥିରୀକୃତ କୃତି

ସାହିତ୍ୟ ସଭିଙ୍କ ହିତ

ସବୁରି ବକ୍ତବ୍ୟ ଲିଖିତ ଆକାରେ

ସାହିତ୍ୟ କ୍ଷେତ୍ରେ ଗ୍ରହଣ

ବିଦୂଷକ ଓ ବିଦ୍ରୋହୀଙ୍କ ବକ୍ତବ୍ୟ

ସାହିତ୍ୟରେ ମିଳେ ସ୍ଥାନ

ଲୋକତାନ୍ତ୍ରିକ ସ୍ଵାଧୀନତା ବଳରେ

ସ୍ୱେଛାଚାରୀ ମନୋଭାବ

ସାହିତ୍ୟ କ୍ଷେତ୍ରରେ ପ୍ରାୟ ଅନୁମେୟ

ସର୍ଜନାକାରୀ ସ୍ବଭାବ

ବେଳେବେଳେ କୁତ୍ସାରଟନା ଓ ଗାଳି

ପୁଣି ବ୍ୟକ୍ତିଗତ ଯୁଦ୍ଧ

ସାହିତ୍ୟ କ୍ଷେତ୍ରର ପରିସର ମଧ୍ୟେ 

ପ୍ରାୟ ହୁଏ ହୃଦବୋଧ


ଗଣ ମାଧ୍ୟମରେ ସାହିତ୍ୟ ସଂସଦ 

ପ୍ରାୟ ସମ୍ପୂର୍ଣ୍ଣ ସକ୍ରିୟ

ମାନପତ୍ର,ସମ୍ବର୍ଦ୍ଧିତ ଅବ୍ୟାହତ

ପାଠକ ବିରଳ ପ୍ରାୟ

ପ୍ରଚାର ପ୍ରସାର ଗଣ ମାଧ୍ୟମରେ

ପ୍ରାୟତଃ ଦୃତ ଗତିରେ

ସାହିତ୍ୟ-କୋଣାର୍କ ପୁନଃ ଗଢ଼ିବାର 

ଚେଷ୍ଟା ବାହ୍ୟ ଆଡ଼ମ୍ବରେ


ରାଜା ରାଜୁଡ଼ା ଶାସନ ସମୟରେ

କୃତି ସାରଳା ଦାସଙ୍କ 

କ୍ରମେ ଅଭ୍ୟୁଦୟ ସେଇ କୃତି ଧାରେ

ସାହିତ୍ୟର କୋଣାରକ 

ରାଜ ଦରବାରରେ ଉପେନ୍ଦ୍ର ଭଞ୍ଜ

ପୁଣି ଦୀନକୃଷ୍ଣ ଦାସ

ଅନବଦ୍ୟ ସୃଷ୍ଟି କବିଙ୍କ କୃତି ରେ

ପ୍ରକୃତ ସାହିତ୍ୟ ଚାଷ 

ଫକୀରମୋହନ ସେନାପତି ପୁଣି

ଇଂରେଜ ଶାସନ କାଳେ 

ସାହିତ୍ୟରେ ଜନ ସଚେତନତାର 

କୃତି କ୍ରମେ କାଳ ବଳେ

କାଳ କ୍ରମେ ସାହିତ୍ୟର ଅଭ୍ୟୁଦୟ

ଅଗ୍ରଧାବକ ସହିତ

କାଳଜୟୀ କୃତି ଭାଷା ସାହିତ୍ୟରେ

ରହିଅଛି ସଂରକ୍ଷିତ 

କୋଣାର୍କ ଦର୍ଶନେ ନିଜକୁ ଗର୍ବିତ

ଜନ୍ମି ଓଡ଼ିଶା ରାଜ୍ୟରେ

ସାହିତ୍ୟର କୋଣାର୍କ ବି ହୃଦବୋଧ

ସ୍ତୁପୀକୃତ ଗ୍ରନ୍ଥ ଧାରେ


ଚଳନ୍ତି ଓଡ଼ିଆ ସାହିତ୍ୟର ସ୍ଥିତି

ଭଗ୍ନ କୋଣାର୍କ ପରାୟ

ଲେଖକଙ୍କ ବହୁଳତା ଅନୁମେୟ

ପାଠକ ବିରଳ ପ୍ରାୟ 

ନାହିଁ ଆଧୁନିକ ସାହିତ୍ୟ କ୍ଷେତ୍ରରେ

ସମାଜ ହିତ ସାଧନ

ସାମାଜିକ ଚେତନା ବିନା ସର୍ଜନା

ଅଥଚ ସ୍ୱନାମଧନ୍ୟ 

ଛନ୍ଦ ରୂପକ ଅଳଙ୍କାର ବିହୀନ

ରୁଚିହୀନ ସର୍ଜନା ରେ 

ସାମାଜିକ ଚେତନାର ଉତ୍ତରଣ

ଅସମର୍ଥ ସୃଷ୍ଟି ଧାରେ


ଦୂରରୁ କୋଣାର୍କ ସୁନ୍ଦର ପ୍ରତ୍ୟୟ

ଶିଳା ଖଣ୍ଡ ନିକଟରେ

ସାହିତ୍ୟ ନାଆଁ ରେ ସ୍ତୁପୀକୃତ କୃତି

ଘରେ ଓ ପାଠାଗାର ରେ

ସାହିତ୍ୟରେ ଗଣ ମାଧ୍ୟମ ରାଜୁତି 

ବହୁଳ ପ୍ରଚାର ଧାରେ

ସ୍ୱନାମଧନ୍ୟ କବି ଅବା ସାହିତ୍ୟିକ

ସୃଷ୍ଟି ପ୍ରବଳ ମାତ୍ରାରେ


ଓଡ଼ିଆ ଭାଷାର ପୁରାତନ କାବ୍ୟ

କବିତାରେ ଚମ୍ପୁ ଛାନ୍ଦ

ଉପମା ଅଳଙ୍କାର ରୂପକ ସହ

ପାଠକ ପାଏ ଆନନ୍ଦ

ଓଡ଼ିଆ ସାହିତ୍ୟ କାବ୍ୟ କବିତାରେ

ଚମ୍ପୁ ଛାନ୍ଦ ଓ ରୂପକ

ଅଳଙ୍କାର ସହ ହୋଇଛି ସଜ୍ଜିତ

ଭାବ ଜାଗ୍ରତ ଅନେକ 

ରସ ଭରି ଅଛି ରସକଲ୍ଲୋଳ ରେ

ଭରପୁର କୃଷ୍ଣ ରସ

ରସ ଅଛି ବୈଦେହୀଶ ବିଳାସ ରେ

ସାହିତ୍ୟର ଶୁଦ୍ଧ ରସ

ରସରେ ପ୍ଲାବିତ ଅଛି ସାରା କାବ୍ୟ

ଯେତେ ପିଇଲେ ବି ଶୋଷ

ପ୍ରକୃତ ରସର ସ୍ଵାଦ ହିଁ ନିଆରା

ମେଣ୍ଟି ଯାଏ ଅବଶୋଷ

କାବ୍ୟରେ ରୂପକ,ତୁଳନା ସଂଶ୍ଳିଷ୍ଟ

ଜୀବନ୍ତ ଅପରାଜୟ

ପ୍ରତି ପଙ୍କ୍ତି ରେ ଭାବପୂର୍ଣ୍ଣ ଆବେଗ

ପାଠକ ମନ ତନ୍ମୟ ।

ପଥ-ଭ୍ରଷ୍ଟ ଆଜି କବିତା ଓ କବି

କବିତା ଭାବ ବିହୀନ

ଶସ୍ତା କଥା କୁହା କବିତା ଲିଖିତ

ବିଚଳିତ ହୁଏ ମନ

କ୍ଷଣସ୍ଥାୟୀ ଅପଦାର୍ଥ ଦ୍ରବ୍ୟ ପରି

ପଢ଼ିଲେ ମନରେ କ୍ଷୋଭ

ନିଜକୁ ସ୍ଵଘୋଷିତ କବିର ଆଖ୍ୟା

ମାନ ପତ୍ର ପ୍ରତି ଲୋଭ

ବାଦ୍ୟ ରେ ଯେପରି ତାଳ ଲୟ ସ୍ୱର

କବିତାରେ ଅଳଙ୍କାର

ଭାଷାର ବିନ୍ୟାସ ଛନ୍ଦ ଶବ୍ଦ ସହ

ଭାବ ଫୁଟେ ବାରମ୍ବାର

ହୃଦୟ ସହିତ ଆତ୍ମା ବି ଜଡ଼ିତ

ଯେଉଁ ଭାବେ ଅଛି ରହି

ଭାବ ରସ ଭରି ହେଉ କବିତାରେ

ଶୁଦ୍ଧ ଶବ୍ଦ ମନେ ଧ୍ୟାୟି ।

ଓଡ଼ିଆ ସାହିତ୍ୟ ହୋଇବ ସମୃଦ୍ଧ

ଜରୁରୀ ଓଡ଼ିଆ ଭାବ

ହୃଷ୍ଟପୃଷ୍ଟ ହେଲେ ହିଁ ସାହିତ୍ୟ ବୃକ୍ଷ

କାବ୍ୟ କବିତା ଫଳିବ

ଓଡ଼ିଆ ଲେଖିବା ଓଡ଼ିଆ କହିବା

ଓଡ଼ିଆଙ୍କ ନିକଟରେ

ଭାଇଚାରା ସମ୍ପର୍କ ହେବ ସୁଦୃଢ଼

ଓଡ଼ିଆଙ୍କ ହୃଦୟରେ

ମାତୃଭାଷା ପ୍ରେମ ହେଲେ ବିକଶିତ

ଭାଷା ସାହିତ୍ୟ ଉନ୍ନତି

ଅନ୍ତର ର ଭାଷା ସାହିତ୍ୟ ଆକାରେ

ଲେଖି ହୋଇବ ପ୍ରଗତି।

ଖାଣ୍ଟି ଓଡ଼ିଆ ଭାବି ନିଜକୁ ନିଜେ

କରିବା ସାହିତ୍ୟ ଚାଷ

କହିବା,ଲେଖିବା,ପଢିବା ସଭିଏଁ

ହେଉ ଓଡ଼ିଆ ବିକାଶ

ସାହିତ୍ୟ କୋଣାର୍କ ଲେଖନୀ ମୁନରେ 

ଗଢ଼ି ତୋଳିବା ର ପଣ

ପ୍ରତି ଓଡ଼ିଆଙ୍କ ଚିନ୍ତା ଚେତନାରେ

ଭାବ ରହୁ ପ୍ରତିଦିନ ।



Rate this content
Log in

Similar oriya poem from Abstract