STORYMIRROR

Sarojini Mishra

Classics

4  

Sarojini Mishra

Classics

ସ୍ଵାଗତଂ ଦେବଶିଳ୍ପୀ

ସ୍ଵାଗତଂ ଦେବଶିଳ୍ପୀ

1 min
287


ବାସ୍ତୁଦେବ ଅଙ୍ଗୀରସୀଙ୍କର ପୁତ୍ର

ବ୍ରହ୍ମା ଇପ୍ସିତ କୁମର

ଆଦି ଯୁଗ ସ୍ରଷ୍ଟା କୁଶଳୀ ନିର୍ମାତା

ଦେବଶିଳ୍ପୀ ପ୍ରିୟବର ।


ଭାଦ୍ରବ ମାସର କନ୍ୟା ସଂକ୍ରାନ୍ତିରେ

ତୁମ୍ଭରି ପୂଜନ ବେଳା

ସୃଷ୍ଟି ସଂରଚନା ବ୍ରହ୍ମ ଦେବଙ୍କର

ତୁମେ ଦେଲ ରୂପ କଳା ।


ସ୍ଵାଗତ କରୁଛି ଆହେ ଦେବ ଶିଳ୍ପୀ

ବିଶ୍ଵ ବ୍ରହ୍ମାଣ୍ଡର ସ୍ରଷ୍ଟା

କଂଧେ ଉପବୀତ କଣ୍ଠେ ରତ୍ନହାର

ଚତୁର୍ଭୁଜେ ତୁମେ ଉଭା । 


ଚକ୍ର, ମାର୍ତୁଲ ଓ ନିହାଣ ଶୋଭନ

ତିନି ହସ୍ତରେ ଶୋଭନ

ଦକ୍ଷିଣ ବାହୁ ଯେ ଆଶୀର୍ବାଦ ମୁଦ୍ରା

ଦିଶ କେଡ଼େ ଶୋଭାବନ ।


ସ୍ୱାଗତ କରୁଛି ତୁମକୁ ହେ ଶିଳ୍ପୀ

ସ୍ୱର୍ଣ୍ଣ ଲଙ୍କା ରଚୟିତା

ସୁଧର୍ମା ସଭାର ମନ୍ମୟ ସୌନ୍ଦର୍ଯ୍ୟ

ତୁମ କଳା ସୌନ୍ଦର୍ଯ୍ୟତା ।


ସ୍ଵାଗତ କରୁଛି ବୈକୁଣ୍ଠ ନିର୍ମାଣ

ଅମରାବତୀର ସ୍ରଷ୍ଟା

ପୁଷ୍ପକ ବିମାନ ନାରଦଙ୍କ ବୀଣା

ତୁମେ ପିନାକ ନିର୍ମାତା ।


ଶ୍ରୀବିଷ୍ଣୁଙ୍କ ହସ୍ତେ ସୁଦର୍ଶନ ଚକ୍ର

ତୁମେ ଭାସ୍କର୍ଯ୍ୟର ସେତୁ

ସୁରମ୍ୟ ଜଗତ ତୁମ ହାତେ ଗଢ଼ା

ତୁମେ ବି ବିଜ୍ଞାନ ହେତୁ ।


ଭୋଦୁଅ ଖରାର ସୁନ୍ଦର କିରଣ

ତୁମକୁ ସ୍ଵାଗତ କରେ

କାଶତଣ୍ଡୀ ନଦୀ ପଠାରେ ଦୋହଲି

ତୁମକୁ ପ୍ରଣାମ କରେ ।


ସ୍ଵାଗତ କରନ୍ତି ନବ ପଲ୍ଲବ ଯେ

ସବୁଜ କ୍ଷେତ ସୌନ୍ଦର୍ଯ୍ୟ

ଶିଳ୍ପୀ ବୃନ୍ଦ କରେ ତୁମରି ସ୍ଵାଗତ

ଦେଇ ଧୂପ ନଇବେଦ୍ୟ ।


ସ୍ଵାଗତ କରୁଛି ଆହେ ବିଶ୍ଵକର୍ମା

ଦାରୁ ଦେବତାଙ୍କ ସ୍ରଷ୍ଟା

ନୀଳକନ୍ଦର ରେ ନିହାଣ ମୁନରେ

ବୁହାଇଲ ଭକ୍ତି ଧାରା ।


ବିଶ୍ଵ ଦେବତାଙ୍କ ନିର୍ମାତା ତୁମେ ହେ

ସ୍ଵାଗତ କରଇ ବିଶ୍ଵ

ଶିଳ୍ପ କ୍ଷେତ୍ର ହୁଏ ଆନନ୍ଦ ମୁଖର

ଶୁଭେ ପଣ୍ଡିତଙ୍କ ମନ୍ତ୍ର ।


ସ୍ଵାଗତ କରୁଛି ହେ ବିଶ୍ଵ ନିର୍ମାତା

ନମନ କରଇ ପାଦେ

କଳା ଭାସ୍କର୍ଯ୍ୟର ବିକାଶ କର ହେ

ସ୍ଵାଗତ ସ୍ଵାଗତ ହୃଦେ ।


ସ୍ଵାଗତ କରୁଛି ହେ କୁଶଳୀ ଶ୍ରେଷ୍ଠ

ଜଗତ ସୁରମ୍ୟ ରହୁ

ଇତସ୍ତତଃ ମନେ ସ୍ଥିରତା ଦିଅ ହେ

ସୁରମ୍ୟତା ଜାରି ରହୁ ।


ସ୍ଵାଗତ କରୁଛି ହେ ସୃଷ୍ଟି ପ୍ରବୀଣ

ସୃଷ୍ଟି ମାଦକତା ଦିଅ

ବିଶ୍ଵ ଜନ ମନ ଆମୋଦିତ କର

ସୃଷ୍ଟି ର ଇପ୍ସା ଜଗାଅ ।


ଆଦି ସୃଷ୍ଟି କୁ ଯେ ସଂରଚନା କଲ

ରୂପ ରେଖ ଦେଇ ଥିଲ

ସେଇ ସୃଷ୍ଟି ଆଜି ହୁଏ ଟଳମଳ

ଜଗତେ ଦିଶା ଦେଖାଅ ।


ସ୍ଵାଗତ କରୁଛି ଆହେ ଦେବଶିଳ୍ପୀ

ଧୂପ ଦୀପ ନୈବେଦ୍ୟ ରେ

ଶିଳ୍ପ କରିଗରୀ ହେଉ ନଭଶ୍ଚୁମ୍ବ

ତୁମରି ଆଶୀର୍ବାଦରେ ।


ସ୍ଵାଗତ କରୁଛି ଆହେ ବିଶ୍ଵକର୍ମା

ବିଶ୍ଵ ଶ୍ରୀ ମଣ୍ଡିତ ହେଉ

ତୁମରି ଆଶିଷେ ଏ ଜଗତ ପୁଣି

ନବ ଉଲ୍ଲାସରେ ଭରୁ ।



Rate this content
Log in

Similar oriya poem from Classics