ସ୍ଵାଗତମ୍ କୃଷ୍ଣ
ସ୍ଵାଗତମ୍ କୃଷ୍ଣ
ହେ କୃଷ୍ଣ,ହେ ମୁରାରୀ ,ଏକ ସ୍ୱରେ କରୁଛୁ ଗୁହାରି
ପାପୀ ମାନଙ୍କ କବଳରୁ ରକ୍ଷା ପାଇଁ ଆସ ଅବତରି
କଂସ ଏଠି ମାଳ ମାଳ ନ୍ୟାୟ ସତ୍ୟ ଧର୍ମ ଦୁର୍ବଳ
ଝିଅ ବୋହୂ ମା ମାନଙ୍କର ଅବସ୍ଥା ହୁଏ ଅସମ୍ଭାଳ
ବ୍ୟଭିଚାର ବଢ଼ି ଚାଲିଛି ନାରୀ ଦେହ ପାଇଁ ଖେଳ
ପ୍ରେମ ନାମରେ ପ୍ରେମିକ ପ୍ରେମିକା ହୁଏ ଉଚ୍ଛୃଙ୍ଖଳ
ଭଣ୍ଡ ବାବା ମାନଙ୍କର ମଠ ମନ୍ଦିରରେ ଉତ୍ପାତ
ମୁଖରେ ନାମ ପ୍ରବଚନ କିନ୍ତୁ ଭକ୍ତି ଭାବ ମୃତ,,
ଭକ୍ତି ନାମରେ ବ୍ୟବସାୟ ଲୋକ ଦେଖାଣିଆ ଧର୍ମ
ପୂଜକ ବି ସୁନ୍ଦରୀ ନାରୀ ଦେଖି କରୁଛି ଦୁଷ୍କର୍ମ
ପାଣି ପବନ ବି ଏଠାରେ ସତ୍ତା ହରାଇ ବସିଛି
ପରିବେଶ କଳୁଷିତ ସହ ମଣିଷ ଅଳ୍ପାୟୁ ହେଉଛି
ନିବେଦନ ସହ କହୁଅଛୁ ଅନ୍ତର ର ଦୁଃଖ କାହାଣୀ
ଅବତାର ହୁଅ ପ୍ରଭୁ ,କଷ୍ଟ ବେଶି ଅସହ୍ୟ ହେଲାଣି
ଗୋପ ପୁରେ ଖେଳା ଲୀଳା କରି ମଥୁରାକୁ ଗଲ
କଂସ ବଧ ପରେ ଦ୍ୱାରକାରେ ସାମ୍ରାଜ୍ୟ ଗଢ଼ିଲ
ନିଜେ ନ ଯାଇ ଉଦ୍ଧବକୁ ପଠାଇଲ ଗୋପପୁର
ତୁମ ବିନା ଗୋପପୁର କିପରି ଥିଲା ଶୁଣିଛ ସତ୍ତ୍ଵର
ଉଦ୍ଧବକୁ ଦେଖି ଗୋପାଙ୍ଗନା ପଡ଼ିଲେ ଭ୍ରମରେ
ଅବିକଳ ବେଶ ଦେଖି କୃଷ୍ଣ କୃଷ୍ଣ ଭାବିଲେ ମନରେ
ଗୋପାଙ୍ଗନା କୃଷ୍ଣ ଭାବି ମନେ ହୋଇଲେ ବିଭୋର
ସତେ କଣ ଫେରି ଆସିଲେ ଆମ ରସିକ ନାଗର
ବୁଝାଇ କହିଲେ ତୁମ ବ୍ୟାକୁଳତା ହୃଦୟର କଥା
କୃଷ୍ଣମୟ ଗୋପ ପାଣି ପବନରେ ତୁମର ହିଁ ଗାଥା
ଯମୁନା କୂଳରେ ତୁମ ପଦ ଚିହ୍ନ ଏବେ ବି ରହିଛି
ଯମୁନା ବି ବ୍ୟାକୁଳ ହୃଦୟରେ ତୁମକୁ ଖୋଜୁଛି
ତୁମ ବାଲ୍ୟ ରୂପର ଛବି ଯମୁନା ପ୍ରଥମେ ଦେଖିଛି
ରାଧା ସହ ରାସଲୀଳା ଭାବ କଥା ଭାବି ଝୁରୁଅଛି
ଯମୁନା ଘାଟରେ ପଦ ଚିହ୍ନ ନିତି ଯମୁନା ଦେଖୁଛି
ରାଧାକୁ ଦେଖିଲେ ତୁମକୁ ଦେଖିଲା ପରି ଭାବୁଛି
ରାଧା କଥା କହିବାକୁ ନିହାତି ଶବ୍ଦର ଅଭାବ
ବଂଶୀଧର ବିନା ରାଧା ସବୁ ଭାବ ପାଇ ବି ଅଭାବ
ଚାତକ ସମ ମେଘ ହୋଇ ତୁମ ଫେରିବା ଚାହିଁଛି
ନୟନରୁ ଅଶ୍ରୁ ଧାରରେ ବି ତୁମ ଛବି ଖୋଜୁଅଛି
ନନ୍ଦ ଯଶୋଦା ଗୋପ ଗୋପାଳୁଣୀ ନିତି ଝୁରୁଛନ୍ତି
ଗୋପ ଧୂଳି ମାଟି ପାଣି ପବନ ଦୁଃଖୀ ହୋଇଛନ୍ତି
କୁଞ୍ଜବନ ମଧୁବନ ସହ ସବୁଠି ଶୂନ୍ୟତା ହିଁ ସ୍ପଷ୍ଟ
ବାଛୁରୀ ହମ୍ବା ରଡ଼ିରେ ବି କୃଷ୍ଣ କୃଷ୍ଣ ରାଧାକୃଷ୍ଣ
ବଂଶୀଧର ହୋଇ ଗୋପ ଗୋପୀ ମନ ମୋହିଅଛ
ଚକ୍ରଧର ରୂପେ ସବୁ ଅତ୍ୟାଚାରୀଙ୍କୁ ନାଶ କରିଛ
ଗୋପପୁର ପରି ଏହି ପୁଣ୍ୟ ଭୂମି ଭାରତ ବକ୍ଷରେ
କଂସ ରାଜୁତି ପରି ଅତ୍ୟାଚାର ଚରମ ସୀମାରେ
ମା ଝିଅ ବୋହୁ ସୁରକ୍ଷା ଚିନ୍ତା ପ୍ରତି ମୁହୂର୍ତରେ
ରାଧାର ଭାବନା ନାହିଁ ଆଉ ପ୍ରେମିକା ମନରେ
କୃଷ୍ଣ ପ୍ରେମ ପରି ବିହ୍ୱଳତା ନାହିଁ ପ୍ରେମିକ ହୃଦରେ
ପ୍ରେମ ନାମରେ ବ୍ୟଭିଚାର ଚରମ ସୀମାରେ।
ସାରା ବିଶ୍ବରେ ଅରାଜକତା ଭରି ରହିଅଛି
ତୁମ ଅବତାର ପାଇଁ ଏ ପୃଥିବୀ ଅପେକ୍ଷା କରିଛି
ଝୁରେ ଗୋପପୁର ଝୁରେ ପୁଣ୍ୟଭୂମି ଭାରତ ଭୂଖଣ୍ଡ
ଧର୍ମ ନାମେ ହିଂସା ଭେଦଭାବ ହୋଇଛି ପ୍ରଚଣ୍ଡ
ଯମୁନାର ଜଳ ହୋଇଛି ଦୂଷିତ ପାପୀ ପାଦ ପଡ଼ି
ଯମୁନା ବି ତୁମ ଆଗମନ ପାଇଁ କହେ ହାତ ଯୋଡ଼ି
କେଉଁ ପୁଣ୍ୟାତ୍ମା କୁ ପ୍ରାପ୍ତ ହେଉ ବସୁଦେବ ପରି ମାତା ଦେବକୀ ପରି ସୌଭାଗ୍ୟ ହେଉ ସେଇ ପରି
ଉଗ୍ରସେନ ପରି ରାତିରେ ଦର୍ଶନର ଅନୁଗ୍ରହ ହେଉ
ନନ୍ଦ ଯଶୋଦା ପରି ସୌଭାଗ୍ୟ କାହା ପ୍ରତି ରହୁ
ଜନ୍ମାଷ୍ଟମୀର ଶୁଭ ମୁହୂର୍ତ୍ତ ରେ ଅବତରି ଆସ
ଅନୁଗ୍ରହ କରି ପାପୀ କଳି କଳୁଷ କୁ କର ନାଶ।
ହେ କୃଷ୍ଣ,ହେ ମୁରାରୀ ଅବତରି କୃପା କର
ପାପୀ ମାନଙ୍କ କବଳରୁ ତୁମ ସୃଷ୍ଟି ରକ୍ଷା କର।
