STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ସାବରମତୀର ସନ୍ଥ

ସାବରମତୀର ସନ୍ଥ

2 mins
13.9K


ସାବରମତୀର ସନ୍ଥ ହେ ତୁମେ

ସାବରମତୀର ସନ୍ଥ

କୋଟି ଜନତାର ମନେ ଭରିଦେଲ

ସତ୍ୟ ଅଂହିସାର ମନ୍ତ୍ର .............॥୦॥

ଅଣୁ ପରମାଣୁ ଅସ୍ତ୍ରଠାରୁ ବଳି

ଶକ୍ତିଶାଳୀ ଏହି ମନ୍ତ୍ର

ଶତାଧିକ ବର୍ଷ ଫିରଙ୍ଗୀର ସତ୍ତା

ହୋଇଗଲା ଛିନ୍ନଛତ୍ର

ସବୁରି ହୃଦୟେ ଦେଶପ୍ରେମ ବହ୍ନି

କରିଦେଲ ପ୍ରଜ୍ଜ୍ୱଳିତ

ସାବରମତୀର ସନ୍ଥ ହେ ତୁମେ......॥୧॥

ବନ୍ଦେ ମାତରମ୍ ଧ୍ୱନିରେ କମ୍ପିଲା

ଆକୁମାରୀ ହିମାଚଳ

ସ୍ୱଦେଶୀ ମନ୍ତ୍ରରେ ଦୀକ୍ଷିତ ହୋଇଲେ

ଭାରତବାସୀ ସକଳ

ସର୍ବସାଧାରଣ ସ୍ଥାନେ ଜଳାଇଲେ

ବିଲାତ ପ୍ରସ୍ତୁତ ବସ୍ତ୍ର

ସାବରମତୀର ସନ୍ଥ ହେ ତୁମେ .......॥୨॥

ଲବଣ ସତ୍ୟାଗ୍ରହ ଚଳାଇଲ

କରିଥିଲ ଦାଣ୍ଡି ଯାତ୍ରା

ହଜାର ହଜାର ଲୋକଙ୍କର ଥିଲା

ସହଯୋଗ ପୂର୍ଣ୍ଣମାତ୍ରା

ଆଇନ ଅମାନ୍ୟ ଡାକରାରେ ତୁମ

ଫିରଙ୍ଗୀ ହୋଇଲେ ତ୍ରସ୍ତ

ସାବରମତୀର ସନ୍ଥ ହେ ତୁମେ .......॥୩॥

ସାମାନ୍ୟ ଜନତା ଦୁଃଖ ଦୁର୍ଦ୍ଦଶାକୁ

ବୁଝିଥିଲ ଭଲ ଭାବେ

ଆଣ୍ଠୁ ନଲୁଚିବା ଖଦୀକୁ ପିନ୍ଧିଲ

ଦେଖିଲେ ଜନତା ସର୍ବେ

ଲଙ୍ଗଳା ଫକୀର କହିଲା ଚର୍ଚ୍ଚିଲ

ମନେ ହୋଇନ ଲଜ୍ଜିତ

ସାବରମତୀର ସନ୍ଥ ହେ ତୁମେ.......॥୪॥

ଭାରତ ମାତାର ପରାଧୀନତାର

ବେଡି କାଢିବାକୁ ତୁମେ

ବଜ୍ର ସପଥ ନେଇଥିଲ ଆଜି

କୁହନ୍ତି ଏ ଧରାଧାମେ

ତୁମ ନୀତିବାଣୀ ଅମର କାହାଣୀ

ଘୋଷଇ ଆଜି ଜଗତ

ସାବରମତୀର ସନ୍ଥ ହେ ତୁମେ.......॥୫॥

ଦ୍ୱିତୀୟ ସମର ମହା ଘନ ଘୋର

ଲାଗିଥିଲା ସାରା ବିଶ୍ୱେ

ଛାଡ ହିନ୍ଦୁସ୍ତାନ କରି ଆନ୍ଦୋଳନ

ଡାକ ଦେଲ ଏହି ଦେଶେ

ଆବାଳ ବୃଦ୍ଧ ବନିତା ସକଳ

ଆନ୍ଦୋଳନେ ହେଲେ ରତ

ସାବରମତୀର ସନ୍ଥ ହେ ତୁମେ.......॥୬॥

କାରା ନିର୍ଯାତନା ବନ୍ଧୁକ ଓ ସେନା

ଭୟ ନଥିଲା ତ ମନେ

ଅସ୍ଥିର ହୋଇଲା ଫିରଙ୍ଗୀ ଘାଇଲା

ସତ୍ୟ ଅଂହିସାର ବାଣେ

ନପାଇ ଉପାୟ କଲା ସେ ନିର୍ଣ୍ଣୟ

ଛାଡିଲା ଶାସନ ତନ୍ତ୍ର

ସାବରମତୀର ସନ୍ଥ ହେ ତୁମେ.......॥୭॥

ହେ ମହାତ୍ମା ତୁମେ ଖ୍ୟାତ ବାପୁ ନାମେ

ଏ ସାରା ଭାରତ ବର୍ଷେ

ରହିବ ଅମର ତୁମ ନାମ ଚିର

କାଳ ପାଇଁ ଏହି ବିଶ୍ୱେ

ତୁମ ନୀତି ପଥ ହେଉ ମୋର ବ୍ରତ

କହେ କରି ମଥା ନତ

ସାବରମତୀର ସନ୍ଥ ହେ ତୁମେ......॥୮॥

ବାଉରିବନ୍ଧୁ ଲେଙ୍କା

ପର୍ଲ ରେସିଡେନ୍ସି , ଭୁବନେଶ୍ୱର


Rate this content
Log in

Similar oriya poem from Inspirational