ସାବିତ୍ରୀ
ସାବିତ୍ରୀ
ସାବିତ୍ରୀ ,,,
ନାରୀ ନୁହେଁ ସେ ତ କିମ୍ବଦନ୍ତୀଟିଏ
ପତିବ୍ରତା ଶିରୋମଣୀ
ଉଜ୍ଜ୍ବଳା ଦୀପଶିଖାଟିଏ,
ଗହନ ବନ ଭିତରେ
ଉଛୁଳା ଗିରିକନ୍ୟାଟିଏ
ଦି ପଟ ଶଂଖା ,
ଟୋପେ ସିନ୍ଦୂରରେ ହସୁଥିବା
ପ୍ରୀତି-ପଦ୍ମା ସିଏ ,
ତା'ର କେତେ ବର୍ଣ୍ଣ , କେତେ ରୂପ
କେବେ ସେ ଦୁହିତା
ଦୁଇ କୂଳେ ହିତା ,
କେବେ ନୀରବେ ଜଳୁଥିବା
ସଂଧ୍ୟାଦୀପଟିଏ ,
ନିଜେ ଭୋକ ଉପାସରେ ରହି
ସଭିଁଙ୍କ ସୁଖ ମନାସୁଥିବା
ଚଞ୍ଚଳା ଗୃହିଣୀଟିଏ,
ଆଖିର ଲୁହକୁ ଓଠ ତଳେ ଚାପି
ହସି ହସି ବଞ୍ଚୁଥିବା
ଝରା ଶେଫାଳୀଟିଏ,
ସୁହାଗିନୀ ହୋଇ ମରିବାର
ଅଭିଳାଷା ନେଇ,
ସେ ତ ପ୍ରତିଦିନ ଚଉରା ମୂଳେ
ଜାଳିଦେଉଥାଏ ଦୀପଟିଏ,
ସହିନିଏ ଯେତେସବୁ ଟାଣ କଥା
କାହା ଠାରୁ କିଛି ପ୍ରତ୍ୟାଶା ନ ରଖି
ଜୀବନ ଗାଡ଼ି ତା' ଗଡୁଥାଏ,
ନାରୀ ନୁହେଁ ସେ ତ ଦୀପଟିଏ
ଆଲୋକ ଦେଖାଇ ଅନ୍ଧାର ପଥରେ
ଅନ୍ଧାରକୁ ଦେହେ ମାଖିହୁଏ
ତିଳ ତିଳ ସେ ତ ଜଳୁଥାଏ ,
ନାରୀ ଜୀବନରେ ଏତେ କଷ୍ଟ ଦେଖି
ବୋଧହୁଏ ସାବିତ୍ରୀ ,
ମାଗିପାରିଲେନି କନ୍ୟାଟିଏ,
ଶତ ପୁତ୍ର ମାଗି ଯମଙ୍କ ପାଖରେ
ଫେରାଇ ଆଣିଲେ ପତି-ପ୍ରାଣ ଯିଏ,
ନାରୀ ନୁହେଁ ସେ ତ ଦେବୀଟିଏ,,,