STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ସ୍ଵାଭିମାନ

ସ୍ଵାଭିମାନ

1 min
314


ଅଯୋଧ୍ୟାର ରାଜରାଣୀ ଜନକ ନନ୍ଦିନୀ!

ଧରଣୀର ବୁକୁ ଚିରି ଫେରିଆସ ପାତାଳ ରାଇଜୁ। 

ତେଜି ମନୁ ଅଭିମାନ ଦେଖିବାକୁ ଅଯୋଧ୍ୟାର ଦଶା। 

ରଖିବାକୁ ନାରୀ ଜାତି ସ୍ଵାଭିମାନ,

ପ୍ରତିବାଦ କରିଲ ସେଦିନ,

ବାରମ୍ବାର ଦେବାପାଇଁ ଅଗ୍ନି ପରୀକ୍ଷା। 

ଲବ କୁଶ ଆଖିଲୁହ, ସାମ୍ରାଜ୍ଞି ହେବାର ମୋହ,

ଶ୍ରୀରାମ ଙ୍କ ଅନ୍ତର ର ସ୍ନେହ ଫଲ୍ଗୁ ଧାରା,

ବଦଳାଇ ପାରିଲାନି ତୁମର ସେ ଅଟଳ ନିଷ୍ପତି।                        

ନାରୀ ମାନ ରଖିବାକୁ କାଳ କାଳ ପାଇଁ,

ହେଲ ପଛେ ପାତାଳଗାମିନୀ। 

ସହି ପାରିଲନି କିନ୍ତୁ?                            

ନାରୀ ଜାତି ସ୍ଵାଭିମାନ କୋଣାରକେ,

ବାରମ୍ବାର କୁଠାର ଆଘାତ। 

କିନ୍ତୁ?

ତୁମ ନିହାଣ ମୂନରେ ଗଢା ସେହି କଳା କୋଣାରକ,

ପୋତି ହୋଇ ଯାଏ ଆଜି ,                          

ରକ୍ଷଣଶୀଳତାର ସେ ବାଲୁକା ରାଶିରେ। 

ସମୟର ଲହଡିରେ ,

ଭୁଲୁଣ୍ଠିତ ହୁଏ ଆଜି ସ୍ଵାଭିମାନ ମନ୍ଦିର ର ଚୂଡା। 

ଜୀବନର ଚନ୍ଦ୍ରଭାଗା ତୀରେ,

ଝାଉଁବଣ ଫାଙ୍କେ ଶୁଭେ,

କୋଣାରକ ମନ୍ଦିର ର କଇଁ କଇଁ କାନ୍ଦିବାର ଶବ୍ଦ। 

ଜଡ ସମାଜ କାନକୁ ଶୁଭେନା ସେ କାନ୍ଦ। 

କ୍ଷୀଣ ତାର ପ୍ରତିବାଦ ସ୍ଵର,

ଲୀନ ହୋଇଯାଏ ଆସି ସାମାଜିକ ଓଢଣା ଉହାଡେ ।          

ରାବଣ ର ଲଙ୍କା ଠାରୁ ଶ୍ରୀରାମ ଙ୍କ ଅଯୋଧ୍ୟା ପର୍ଯ୍ୟନ୍ତ, 

ଜୀବନ ର ପ୍ରତି ପାହାଚ ରେ,

ସମାଜର ସନ୍ଦେହୀ ଚକ୍ଷୁ ଆଗରେ,

ନାରୀ ସ୍ଵାଭିମାନ ଦିଏ ଯୁଗେ ଯୁଗେ ଅଗ୍ନି ପରୀକ୍ଷା। 

ତଥାପି ସେ ସର୍ବଂସହା ନାରୀ,

ପଣତ କାନିରେ ବାନ୍ଧି ସେ ଅଗ୍ନି ପାଉଁଶ ,

ମାପିଚୁପି ଚାଲୁଥାଏ ଏରୁଣ୍ଡିର ପରିସୀମା ମଧ୍ୟେ,

ରକ୍ଷା କରିବାକୁ ତାର ନାରୀତ୍ଵ ର ମାନ। 

କିନ୍ତୁ? ପ୍ରତି ବଦଳରେ,

ରକ୍ଷା କରନ୍ତିନି କେହି ତାର ସ୍ଵାଭିମାନ।  

କିନ୍ତୁ ? ଆଉ କେତେଦିନ?

ଚାଲିଥିବ ଏ ଅଗ୍ନି ପରୀକ୍ଷା?

କେତେଦିନ ନୀରବ ରହିବ ଆଉ,

କୋଣାରକ ନର୍ତ୍ତକୀର ପାଦର ଘୁଙ୍ଗୁର?

ତେଣୁ ତୁମେ ଫେରିଆସ ଅଯୋଧ୍ୟାର ପାଟ୍ଟ ମହାରାଣୀ। 

ଗଢିବାକୁ ଆଉ ଏକ ସ୍ଵାଭିମାନ କୋଣାରକ,

ନାରୀ ମନ ଚନ୍ଦ୍ରଭାଗା ତୀରେ।  

ହସିଉଠୁ ମନ୍ଦିରର ଭଗ୍ନ ମୁଖଶାଳା। 

ଝାଉଁବଣ ପବନରେ ଭାସିଆସୁ,

ନର୍ତ୍ତକୀର ଘୁଙ୍ଗୁର ଶବଦ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational