ସାବଧାନ
ସାବଧାନ
କେମିତି ନୃଶଂସ, ପାମର ପିଶାଚ,
ହତ୍ୟାକାରୀ ଭୀମ ଜନ ।
ଲଗାଇ ଜାଣିନ, ଚାରା ଗଛଟିଏ,
କାଟ କାହିଁ ହୀନ ମନ ।
କି ଦୋଷ କରିଛି, କୁହ ହେ ମାନବ,
ଦୋଷ ମୋର ଥରେ କୁହ।
ଦାନା ଯୋଗାଉଛି, ବରଷକ ଯାକ,
ଝରାଇ ଆଖିରୁ ଲୁହ ।
ମୁକ ଅଟେ ମୁହିଁ, କହି ପାରେ ନାହିଁ,
ମୋ ଦୁଃଖ ଶୁଣିବ କିଏ ।
ମୁହିଁ ନିରାମୟ, ଶିଥିଳ ହୃଦୟ,
ଜୀବନ୍ତ ନମୁନା ଟିଏ ।
ଥରେ ଭାବି ଦେଖ, ଦୈନିକ ଜୀବନେ,
ଆଣ ବିପଦକୁ ଡାକି।
ବିଷାକ୍ତ ଧୁଆଁରେ, ଭରୁଛ ଜଗତ,
ଭୋଗିବା ରହିଛି ବାକି ।
ପଥରେ ପଥିକ, ବିହଙ୍ଗର କୁଳ,
ଆଶ୍ରା କରିଥାନ୍ତି ମୋତେ ।
ବାଦଲ ଆକୁଳେ, ଦରଶନ ପାଇଁ,
କରେ ବଜ୍ରାଘାତ କେତେ ।
ବାୟା ହୋଇଯାଏ, ତୋଫାନି କରାଏ,
କ୍ରୋଧରେ ସମୀର ଆଜି ।
ମୃତ୍ୟୁ ମଳୟକୁ, ବସନ୍ତ ସଂଘାରି,
ଘୂର୍ଣ୍ଣିବାତ୍ୟା ରୂପ ସାଜି ।
ସାବଧାନ ହୁଅ, ପାପିଷ୍ଠ ମାନବ,
କରନା ସଂଘାର ମୋର।
ଛିଡା ହୋଇଥାଏ, ବକ୍ଷକୁ ବିସ୍ତାରି,
ନାହିଁ ମୋ ଜୀବନ ଡୋର ।
ଆସୁ ପଛେ ବାତ୍ୟା, ଅବା ବଜ୍ରାଘାତ,
ଖାତର ନାହିଁ ଯେ ମୋର ।
ମୁହିଁ ସେବାକାରୀ, ପ୍ରାଣୀ ଜଗତର,
ହତ୍ୟାରୁ ଯେ ରକ୍ଷାକର ।
କାଟନା କାଟନା, ନିର୍ଦୋଷ ଯେ ମୁଇଁ,
ଭୟ ଏକା ମୋ ମାନବ ।
ସେବାର ଫଳରେ, ହତ୍ୟାରେ ସେବୁଛ,
ସାଜୁଛ କିଆଁ ଦାନବ ।