ସ୍ୱର୍ଣ୍ଣ ତ୍ରିଭୁଜ
ସ୍ୱର୍ଣ୍ଣ ତ୍ରିଭୁଜ
ନୀଳଚକ୍ରେ ଉଡେ ପତିତପାବନ
ମହୋଦଧି କରେ ଶବ୍ଦ
ଭାଈ ଭଉଣୀଙ୍କ ସାଙ୍ଗରେ ଦେଖ
ବସିଛି ଟି' ବ୍ରହ୍ମନାଦ।
ଗୋଡ଼ ନ' ଥିଲେ ବି' ଚାଲୁ ଅଛି ସିଏ
ଯୋଜନ ଯୋଜନ ବାଟ
ଭକ୍ତର ଡାକକୁ ନିତି ଶୁଣୁ ଥାଏ
ଖୋଲି ତା' କର୍ଣ୍ଣ କବାଟ।
ଏମିତି ଠାକୁର ଜଗତରେ ନାହିଁ
ଖୋଲିଛି ଭଣ୍ଡାର ଘର
ତା' ଚକାଆଖିରେ ଆଖି ମିଶି ଗଲେ
କରି ନିଏ ସେ' ନିଜର।
ଶ୍ରୀକ୍ଷେତ୍ର ଧାମରେ ବାଟ ମଙ୍ଗଳା ଯେ'
ପୁଣି ଯେ' ଅଠର ନଳା
ନରେନ୍ଦ୍ର ପୋଖରୀ ଶୋଭା ମଣ୍ଡୁ ଥାଏ
ଜଗା କରେ ଚାପ ଖେଳା।
ବାର ବର୍ଷ ଧରି ବାରଶ ବଢ଼େଇ
କରିଲେ ଠିଆ କୋଣାର୍କ
ପ୍ରସ୍ଥର ଉପରେ ନିହାଣ ମୁନରେ
ଗଢି ଦେଇ ଥିଲେ ଅର୍କ।
ମନ୍ଦିର ହୋଇଲା ମୁଣ୍ଡି ନ' ମରିଲା
ଚିନ୍ତାରେ ପଡିଲେ ସଭି
ଧରମା ମୁଣ୍ଡି ମାରିଦେଇ କରି
ଡେଇଁଲା ସମୁଦ୍ରେ ଭାବି।
ମନ୍ଦିର ମାଳିନୀ ଭୁବନେଶ୍ୱରରେ
ଲିଙ୍ଗରାଜ ହେଲେ ରାଜା
ମନ୍ଦିର ଅଗ୍ରରେ ତ୍ରିଶୂଳ ନ' ଥାଇ
ପିନାକ ଧନୁ ଟି' ସଜା।
ପୁରୀ, କୋଣାର୍କ ଆଉ ଭୁବନେଶ୍ୱର
ସ୍ୱର୍ଣ୍ଣ ତ୍ରିଭୁଜରେ ଗଣା
ଓଡ଼ିଆ ମାଟିର କୀର୍ତ୍ତି ଗୌରବର
ଉଡାଇଛନ୍ତି ଯେ' ବାନା।
କେତେ ହସ୍ତ କଳା କେତେ ଚାରୁ କଳା
କେତେ ଲୋକ କଳା ଗାଥା
ସ୍ୱର୍ଣ୍ଣ ତ୍ରିଭୁଜରେ ଝଲସି ଉଠୁଛି
ଆମରି ଓଡିଶା ମଥା।
