ସ୍ୱର୍ଣ୍ଣ କଳସୀ
ସ୍ୱର୍ଣ୍ଣ କଳସୀ
ସୂର୍ଯ୍ୟ, ଏକଟୋପା ବିନ୍ଦୁଏ ସିନ୍ଦୂର ।
ସୂର୍ଯ୍ୟ ଥିଲେ ଅଛି ମୁଁ
ସୂର୍ଯ୍ୟ ଶକ୍ତି ସକଳ ଆଧାର,
ସତ୍ୟ ସୂର୍ଯ୍ୟ ସ୍ଥିତି ନିୟମିତ ,
ବରଂ ମୁଁ ମରିଯାଏ,ଶୋଇପଡେ ନିଘୋଡ଼ ନିଦରେ
ବିଶ୍ୱାସ ମୁଁ ରଖିଅଛି ରଖିବି ନିଶ୍ଚୟ,
ଜାଗ୍ରତ ଓ ସଚେତନେ ଜୀଇବି ଜୀବନ
ଦେଖି ଦେଖି ନିତ୍ୟ ସୂର୍ଯ୍ୟୋଦୟ ।
ନିଆରା ଜହ୍ନର କଥା
କିରଣ ତା ପ୍ରତ୍ୟୟ ନଗଣ୍ୟ,
କେବେ କେବେ ଦୁଷ୍ଟ ଜହ୍ନ ତୋଫା ଦିଶେ
ସୂର୍ଯ୍ୟ ସମ ରୂପଧରେ
ହୋଇଯାଏ କେବେ ବି ଉଭାନ,
କେବେ ପୁଣି ଖେଳୁଥାଏ ବହୁଚୋରୀ
ଲୁଚକାଳି ଖେଳ,
ଘଡିମାରେ ଫୁଲ ସଞ୍ଜେ ତା ମାଛି ଅନ୍ଧାର ।
ଛାୟାପଥେ ମାୟାପଥେ ଏ ପୃଥିବୀ
ସୂର୍ଯ୍ୟ ଓ ଚନ୍ଦ୍ରମା ମଧ୍ୟେ
ଘୂରିବାକୁ ବାଧ୍ୟ ନଟୁପରି,
ତା ଅମୃତକଳସ
ୀକୁ ରାହୁକେତୁ ଦେଉପଛେ
କଣ୍ଠଯାକେ ଗିଳି
ଆବର୍ତ୍ତନୀ ଆଶା ତାର ଯାଇନାହିଁ
ଯିବନି ମଉଳି ।
ଚିରନ୍ତନ ଛନଛନ ଦୂବଘାସ ସବୁଜ ଜୀବନ
ଜଳି ପୋଡ଼ି ଉତ୍ତାପ ଗ୍ରୀଷମେ
କଅଁଳେ ସେ ବାରମ୍ବାର,
ଜୟ ହୁଏ ଜୀବନର
ଅମୃତ ବରଷିଯାଏ ସୂର୍ଯ୍ୟାଲୋକ
ଏ ମରଣଲୋକେ ।
ସୂର୍ଯ୍ୟପ୍ରଭ ଏ ଜୀବନ ଆଲୋକର ଶିଖାଟିଏ
ଅମୃତର ଉତ୍ସ,
ଦୁର୍ବାର ତା ଆକର୍ଷଣ ଅଭିଳାଷ
ବିଷ୍ଣୁ ଲୋକ ନିବିଡ଼ ବନ୍ଧନ,
ମୃତ୍ୟୁ ଘନ ଅନ୍ଧକାର ଭୟ ଯହିଁ
ଉପେକ୍ଷିତ ପରାଜିତ ମଧ୍ୟ,
ମରଲୋକେ ଅମୃତ ସନ୍ଧାନ
କରୁଅଛି କରୁଥିବ ସୁସଂସ୍କାରେ ସୁଜ୍ଞାନୀ ସନ୍ତାନ,
ଦେବା ସୁର ଏ ମହା ସଂଗ୍ରାମେ
ଅହୋଭାଗ୍ୟ,ସ୍ୱର୍ଣକଳସୀ ଦର୍ଶନ
ଛଦ୍ମବେଶୀ ମୋହିନୀ ମୋହନ ।
---++---