ସ୍ୱପ୍ନର ମର୍ମ
ସ୍ୱପ୍ନର ମର୍ମ
ଦିଗନ୍ତ ବିସ୍ତୃତ ଏଇ ଅନନ୍ୟ ଅନୁଭୂତି ସଭିଙ୍କ ,
କରେ ଆଚମ୍ବିତ ଏହି ସୃଷ୍ଟି ନିଦ୍ରା ଦେବୀଙ୍କ।
ଭରି ଖଟା ମିଠା ଅନୁଭବେ ସବୁରି ମନ
କରେନା ପାତର ଅନ୍ତର ସଦ୍-ଜନ ଦୁର୍ଜନ।
ମନ ଭାବନାର ଏ କାଳେ ଫେଣ୍ଟାଫେଣ୍ଟି ଚିତ୍ର ,
ନିଦ୍ରାରେ ଚେତନା କରାଏ ସତେ କି ବିଚିତ୍ର !
ଜନ୍ମାନ୍ଧ ପାରେନା ଦେଖି ସ୍ୱପ୍ନ ଏହା କି ସତ ?
ଶ୍ରବଣ ଶକ୍ତି ତା' ଅନୁଭବେ ନିଶ୍ଚେତନାର ଗର୍ତ୍ତ ।
ଦିଏ ନିରାଶାର ଅନ୍ଧକାର ତଥାପି ଦିବାସ୍ୱପ୍ନ ,
ସମାଜ କରେ ଆଲୋକିତ ଉଚ୍ଚାଭିଳାଷି ସ୍ୱପ୍ନ।
ଅବଚେତନାରେ ଗଢିପାରେ କୁହୁଡ଼ିର ନିଡ ,
ଭାଙ୍ଗି ଦିଏ ପୁଣି ବାସ୍ତବିକ ମଜବୁତ୍ ପିରାମିଡ।
ଅଜ୍ଞାନ ଶୈଶବ ଦେଖେ ଦୁନିଆଁ ମିଠେଇ ,ବେଲୁନର
ବାଳକ ମନଭ୍ରମେ ମିନା ବଜାର ଅମାପ ଖେଳନାର।
କାକୁ ଦିଶେ ବ୍ୟାଖ୍ୟାନ୍ତର ଭୂଗୋଳ, ଗଣିତ ଓ ବିଜ୍ଞାନ
କାର ପୁଣି ଚିକ୍-ମିକ୍ ପୋଷାକରେ ଲାଖି ଯାଏ ମନ ।
ଅଗଣିତ ସ୍ୱପ୍ନ ଧୂମେ ଧନ୍ଦିହୁଏ ନବୀନ କୈଶୋର
ପ୍ରୀତି ଜାଲେ ଛନ୍ଦି ହୋଇ କେହି ହୁଏ ବିଭୋର ।
ଚିନ୍ତା ବସେ ଚେତନାରେ ଯେବେ ବୁଝେ ଜୀବନ ମର୍ମ ,
ସଂଘର୍ଷରତ ଖୋଜେ ସ୍ୱପ୍ନରାଜ୍ୟେ ନିଜ ଭବିଷ୍ୟ କର୍ମ ।
ସଫଳତାର ସ୍ୱାଦ ବଢାଇଦିଏ ଆକାଂକ୍ଷାର ମାତ୍ରା ,
ଅଗ୍ରଣୀ ନିଶାରେ ବଢିଚାଲେ କଠିନ ଜୀବନ ଯାତ୍ରା ।
ଯଦି ନାହିଁ ସ୍ୱପ୍ନ ତ ନାହିଁ ଅଗ୍ରଗତି ଦେଶ ଓ ଜାତିର ,
ମାଟିର ବରପୁତ୍ରଙ୍କ ଖୋରାକ ଏ ହେବାକୁ ଆଗୁସାର।
ସ୍ୱପ୍ନାଦେଶେ କରନ୍ତି ସାଆନ୍ତେ ତାଙ୍କ ଇଚ୍ଛାକୁ ସାକାର ,
ଠାବନ୍ତି ପଣ୍ଡାଏ ଦାରୁ ,ବାରବର୍ଷକେ ନବକଳେବର ।