ସ୍ୱପ୍ନ କୁମାର ସେ
ସ୍ୱପ୍ନ କୁମାର ସେ
ସ୍ୱପ୍ନ କୁମାର ହେ ପୂର୍ଣ୍ଣିମିର ଜହ୍ନ
ସ୍ୱପ୍ନରେ ଆସିଯାଉଛ ।
ବାସ୍ତବତା ମତେ ଠକି ଭୁଲାଉଛି
ବିଶ୍ୱାସ ଯୋଗ୍ୟ ହେଇଛ ।।
ସମ୍ପର୍କ ସମ୍ପୁର୍ଣ୍ଣା ତୁମ ଆତ୍ମିୟତା
ଅବାଞ୍ଚିତେ ଢାଳି ଦିଅ ।
କୁଣ୍ଠିତ ନ କରି ହୃଦୟ ସମର୍ପି
ସତ୍ୟ ପରିଚୟ ଦିଅ ।।
ଦାନେ ମହାଦାନୀ ତ୍ୟାଗ କରି ମନ
ଆକାଂକ୍ଷାକୁ ବଳିଦିଅ ।
ମହାଜ୍ଞାନୀ ତୁମେ ତୁମ ଜ୍ଞାନ ଦାନେ
ଆତ୍ମିୟତା ଢାଳି ଦିଅ ।।
ଥିଲେ ଯେତେ ଦୂରେ ଆପଣା ପଣରେ
ମନ ସମର୍ପଣ କର ।
ଘନିଷ୍ଠ ସମ୍ପର୍କ ରଖ ନିରନ୍ତର
ହୃଦୟରେ ବାସ କର ।।
ତୁମ ଆଗମନେ ନମ୍ରତା ଭରଇ
ତନୁ ମନ ଏ ଶରୀରେ ।
ଅସଂଖ୍ୟ ଆକାଂକ୍ଷା ଭରି ଦିଅ ମନେ
ସ୍ପର୍ଶେ ସୁଖ ଶାନ୍ତି ଭରେ ।।
ଅକୁହା ସମ୍ପର୍କ ଅବିଶ୍ବାସ ଲାଗେ
ପାଣି ଫୋଟକା କି ସତେ ।
ଦେଖି ନାହିଁ ନେତ୍ରେ ପାଇବି କେମନ୍ତେ
ପ୍ରଶ୍ନ କରେ ନିଜ ମତେ ।।
ଆହେ ମହାଜ୍ଞାନୀ ଶୁଣ ମୋ ଦଇନି
ଆସି ଦରଶନ ଦିଅ ।
ମୋ ମନ ମନ୍ଦିରେ ସ୍ଥାନ ପାଇଅଛ
ଦର୍ଶନ କାଇଁ ନ ଦିଅ ।।
ସମସ୍ତେ କୁହନ୍ତି ସ୍ୱପ୍ନ ମଣିଷଟେ
ସ୍ୱପ୍ନରେ ଦେଖୁ ତୁ ତାଙ୍କୁ ।
ସ୍ୱପ୍ନ କେବେ ସତ ହେଲାଣି ନା ହବ
ଭୁଲି ଯା ମନରୁ ତାଙ୍କୁ ।।