ସ୍ୱପ୍ନ ଦେଶ ରାଜକୁମାର
ସ୍ୱପ୍ନ ଦେଶ ରାଜକୁମାର
ଉଦବିଗ୍ନ ଆଜି ପ୍ରାଣ ମନ ଛନଛନ
ରୋମାଞ୍ଚିତ ହୁଏ ତନୁ ଘନଘନ
ସପନେ ଦେଖିଣ ନବ ରୂପକାନ୍ତି ତରୁଣ
ଆଖି ଦୋଟି ଝଲମଲ ଭରା ଯୌବନ ।
ଯୌବନ ଜଉଘରେ କାମଶର ନିକ୍ଷେପି
ଭାବାନ୍ତର ହୋଇ ଉଠେ ମମ ଚିତ୍ତ ଛବି
ଅବ୍ୟକ୍ତ ବିଷାଦେ ମନ ହୁଏ ଘାରି
ଚାଞ୍ଚଲ୍ୟତା ଖେଳି ଉଠେ ଦେହେ ଅମାପି ।
ନବ ବସନ୍ତର ନବ ମଳୟ ସ୍ପର୍ଶରେ
ଛୁଇଁ ଯାଏ ତନୁମନେ ପ୍ରଣୟ ଆମୋଦ ପ୍ରୀତି
ପ୍ରତ୍ୟୁଷ, ପ୍ରଦୋଷ ଅବା ଅପରାହ୍ନେ
କର୍ଣ୍ଣେ ଶୁଭିଯାଏ ଶ୍ୟାମ
ପ୍ରେମ ମଞ୍ଜୁ ମୁରଲୀ ଗୀତି ।
ଭଲ ଲାଗେନାହିଁ ଭଜନ ଜଣାଣ
ସାଙ୍ଗସାଥୀ ମେଳ ବାପଘର
ନିରତେ ଦିବସ ନିଶି ପ୍ରତିକ୍ଷଣ
ମନ ଖୋଜେ ତୁମକୁ,
ହେ ସ୍ୱପ୍ନ ଦେଶ ରାଜକୁମାର ।
ଦରଦୀ ଏ ଛାତି ତଳେ ଥିଲା ଖିଆଲୀ ମନ ଟିଏ
ଚୋରି କରିଦେଲା ତୁମ ଢଳଢଳ ଚାହାଣୀ
ସ୍ୱପନେ ଗୋପନେ ଦେଖି ତୁମ ରୂପଛବି
ହଜିଗଲା ନିଦ ମୋର
ଉନ୍ମନରେ ହୋଇଗଲି ତୁମ ରାଣୀ ।
ପ୍ରବାସ କି ସ୍ବଦେଶର ହେ ସ୍ୱପ୍ନ ଦେଶ କୁମାର
କାହାର ନନ୍ଦନ ତୁମେ
କେଉଁ ରାଜ୍ୟ ନବ ରାଜ କୁମାର ?
ଘର କରିଦେଲ ମୋ ମନ ନବରରେ
ନିଭୃତେ ନିମିଷେ ସମ୍ପିଲି ଖିଳ ତନୁକୁ
ଶୀହରିତ ଗୁଞ୍ଜରିତ ହେଲା ମନ ତପୋବନ
ତଵ କର ସ୍ପର୍ଶେ ଭୁଲିଲି ମୋ ନିଜକୁ ।
ରାତ୍ର ଶେଷେ ପାହାନ୍ତିରେ ନିଦ ଗଲା ଭାଙ୍ଗି
ସ୍ୱପ୍ନରେ ହେଲ ତୁମେ ଲୁପ୍ତ
ଭାଳିଭାଳି ସ୍ୱପ୍ନର ପ୍ରତି ପ୍ରହରକୁ
ଦେହ ମନ ମୋର ଦଗ୍ଧ ଜାଗ୍ରତ ।
କାହିଁ ଚାଲିଗଲ ସ୍ୱପ୍ନ ଦେଶ ରାଜକୁମାର
ପ୍ରଣୟ ପୀୟୁଷେ ଲଗାଇ ବିରହ ବିଷମବିଷ
କ୍ଷଣେ କ୍ଷଣେ ଖୋଜିଖୋଜି ଚିତ୍ତ ପ୍ରାଣ ଉଲ୍ଲସିତ
ଆରାଧନା କରେ ତୁମ ଚରଣରେ,
ଭାବି ମୁଁ ତୁମକୁ ପରାଣ କାନ୍ତ ।

