ସ୍ରଷ୍ଟାଙ୍କ ସୃଷ୍ଟିର ସର୍ଜନା
ସ୍ରଷ୍ଟାଙ୍କ ସୃଷ୍ଟିର ସର୍ଜନା
ମନ ମଧୁବନ ରାଗ ବିଳାସ ମଞ୍ଜରୀ
ଅଳଙ୍କାର ତଵ ଚରଣେ
ଶବ୍ଦ ବିହୀନ ମମ କଲମର କାଳି
ସର୍ଜିବାକୁ ପଦ ତୁମ୍ଭ ପାଦ ପଙ୍କଜେ ।
ନିରର୍ଥକ ଏ ମୂଢ଼ ମନ
କଳ୍ପନା ଜଳ୍ପନା ଭାଵନାର
ଭାବ ସିନ୍ଧୁତୀରେ ନିମିଷକେ ଘୁରେ
ଜଞ୍ଜାଳ ବିଷାଦ କାଳ ସ୍ରୋତରେ ।
ସମୟ ସମୀପେ ଅନୁଭବୀ ନେତ୍ରେ
ଦିଶେ ଅପରୂପ ବିଭବ
ଅଜ୍ଞାତ ମୋତେ ଅକିଞ୍ଚନ ଯେହ୍ନେ
ତୁମ୍ଭ ସର୍ଜନା ଲୀଳାର ପରାଭବ ।
ସୃଷ୍ଟି ଅବିସ୍ତୃତ ତୁମ୍ଭ ସର୍ଜନା କଳାର
ଅପରିସୀମ ଏ ବିଶ୍ୱଭୁବନ
ସମୀରଣ ମୃଦୁ ପରଶ
ଅରୁଣ ସୁନେଲି ଆଭା
ଶଶୀ ସୁଶୀତଳ ଶୋଭା
ଦୂର ଦିଗନ୍ତ ଏ ଅଦୁର ଗଗନ ।
ମାୟା ସଂସାରର ମାୟା ବାରିଧିରେ
ମୀନ ପ୍ରାୟ ହୁଏ କଲବଲ
ଐଶ୍ୱର୍ଯ୍ୟ ବିଳାସ ଭୋଗର ଦର୍ପରେ
ଅହଂ ଭାବ ନେଇ ଚାହିଁ ରହେ ହୋଇ ବଲବଲ ।
ମାୟା ସରୋବର ବିଶାଳ ଧରାରେ
ଜନ୍ମ ନେଲି ମହୀ ତଳେ
କାମନା ବାସନା ଭରି ମୋ ତନୁରେ
ନିକ୍ଷେପିଲ ତୁମ୍ଭେ ଅବନୀରେ ।
ଜନ୍ମ ପୂର୍ବୁ ମା'ର ଗର୍ଭରେ
ଭଜୁଥିଲି ତୁମ୍ଭ ନାମ
ସଂସାରକୁ ଆସି ମାୟା ମୋହେ ହଜି
ମାୟାବିନୀ ହୋଇ ଭୁଲିଲି ତୁମ ହରି ନାମ ।
ଶେଷ ସମୟରେ ମନେ ପଡ଼ିଯାଏ
ହରି ନାମ ହରି ଜଣାଣ
ମୋକ୍ଷ୍ୟ ଲାଗି ପୁରାଣ ଶାସ୍ତ୍ର ଭାଗବତ ଶ୍ରବଣେ
କରେ ଅର୍ଚ୍ଚନା ଭକ୍ତି ଅର୍ଘ୍ୟ, ପାରାୟଣ ।
କଳ୍ପେ ମନେ ମନେ ଚିନ୍ତେ ନିତି ଦିନେ
ବର୍ଣ୍ଣିବାକୁ କିଛି ପ୍ରଭୁ ତୁମ୍ଭ ସର୍ଜନା
ପାରେନା ଜାଣି ଦେବି କେଉଁ ଅଳଙ୍କାର
ଶବ୍ଦ ନାହିଁ ମୋର ନାହିଁ ଜ୍ଞାନ ସାହିତ୍ୟର
କି ରୂପେ ବର୍ଣ୍ଣିବି ତୁମ୍ଭ ସର୍ଜନା ଚାତୁରୀ ଲୀଳାର ।