ସ୍ୱଧର୍ମ ନଷ୍ଟ ନ ହେଉ
ସ୍ୱଧର୍ମ ନଷ୍ଟ ନ ହେଉ
ନିଶିଦିନ ଆଖି ଆଗେ ଉଠଇ କୋକେଇ
କାଳର କରାଳ ଗର୍ଭେ ବାଛ ବିଚାର ନ ଥାଇ ।
କୃତାନ୍ତ ପାଶ କବଳେ ସଂସାର ଦେଖଇ
ନିମିଷେ ପ୍ରାଣ ପୀୟୁଷ ନିଃଶେଷ କରଇ ।
କାଲି ପରି ଧାଇଁଗଲା ସମୟ ଅତୀତ
ନୂଆ ପୁରୁଣା ସାଥିରୁ ଗଲେଣି ବହୁତ ।
କାଳ ଅକାଳ ଗଣତି ହାତେ କା’ର ମତି
ଭୋଗ ବହୁଳେ ସୌଧ ଜରାଜୀର୍ଣ୍ଣ କୀର୍ତ୍ତି ।
ଯଶ ଅପଯଶ ଗର୍ବ ଦମ୍ଭ ରହିଯାଏ ମହୀ
ପରଖି ନେ ମଣିଷପଣକୁ କେତେ ଅଛୁ ବହି ?
ଘଡ଼ିକେ ଘୋଡ଼ା ଛୁଟଇ କଟେ ସମ୍ପର୍କର ଡୋର
ସ୍ୱାର୍ଥ ଲାଳସା ମିଥ୍ୟା ପ୍ରଶଂସାରେ ରସେ ଆଜି ନର ।
ସ୍ନେହ ମମତା ପ୍ରେମ ଧିରେ ଧିରେ ଯାଉଛି ବିକଳାଙ୍ଗ ହୋଇ
ନିଜ ଗୋଡ଼ରେ ଛିଡ଼ା ହେବା ଚେଷ୍ଟାରେ ବାପା ମାଆ ଯାଆନ୍ତି ଦୂରେଇ ।
ଯାନିଯାତ୍ରା ମହୋତ୍ସବ କରିବାରେ ପଛଘୁଞ୍ଚା ନାହିଁ
ଶ୍ରଦ୍ଧା ଭକ୍ତି ଦାନ ପୁଣ୍ୟରେ ସାତ୍ତ୍ଵିକତା କାହିଁ ?
ରାମରାଜ୍ୟ ସ୍ୱପ୍ନ ଦେଖିଥିଲେ ଜାତିର ଜନକ
ସତ୍ୟ ଅହିଂସା ଅପରିଗ୍ରହ ଅସମ୍ଭବ ମଣିଲେଣି ଲୋକ ।
ମହାତ୍ମା କହୁଥିଲେ ଭାରତର ଆତ୍ମା ଗାଁରେ ବସଇ
ବଦନାମ ସହରି ସଭ୍ୟତା, କହ ଆଜି ଗାଁ କିଆଁ ମଦରେ ଭାସଇ ?
ବିଶ୍ୱଗୁରୁ ରୂପେ ଯଶ କୀର୍ତ୍ତି ଆମ ଧରୋହର
ଆଧ୍ୟାତ୍ମିକ ରସେ ପ୍ଲାବିତ ଦେବଭୂମି ସଂସ୍କୃତି ଆମର ।
ରାମ କୃଷ୍ଣ ବୁଦ୍ଧ ମୁନିଋଷି ପୂର୍ବ ପୁରୁଷ ଯାହାର
ଉତ୍ତମ ଦାୟାଦ କି ଆମେ ? ଅବକ୍ଷୟେ ଆମରି ସଂସ୍କାର ।
ଅନ୍ୟାୟ ଅତ୍ୟାଚାର ଦୁଷ୍କର୍ମ ବଢ଼ଇ ଅପାର
ସମାଜରେ ମାନବିକ ମୂଲ୍ୟବୋଧ ଷଡ଼ରିପୁର ଶିକାର ।
ଭାଇ ଭାଇର ଶତ୍ରୁ ଅସହିଷ୍ଣୁ ପଡ଼ିଶା ବେଭାର
କି ଶୋଭା ଦେଉଛି ଏହା ନିଜ ଅନ୍ତରାତ୍ମାକୁ ପଚାର ।
କେତେ ବା ମଣିବି ଧରା ସ୍ୱର୍ଗଧାମ ମୋର
ଚତୁପାର୍ଶ୍ବରେ ଦେଖଇ ଭୁସୁଡୁଛି ସଂସାର ଆଧାର ।
କଳି କାଳ ବୋଲି ମନକୁ ବୁଝାଉଛି ବସି
ସ୍ୱଧର୍ମ ମୋ ନଷ୍ଟ ନ ହେଉ ମହାପ୍ରଭୁ ସତ୍ୟ ଆସୁ ହସି ହସି ।