STORYMIRROR

Hrushikesh Satpathy

Classics

2  

Hrushikesh Satpathy

Classics

ସ୍ୱଭାବେ ମୁଁ ଜୀବନ୍ତ ନିର୍ବାଣ

ସ୍ୱଭାବେ ମୁଁ ଜୀବନ୍ତ ନିର୍ବାଣ

1 min
2.9K

ଆଘାତ ! ତୁ ଏଡିକି ନିଷ୍ଠୁର

  ନିର୍ଦ୍ଦୋଷକୁ ଦୋଷୀ କରିଦେଉ

ଆନ ଆଖି ଲୁହରେ ଭିଜାଇ,

  ନିଜ ଆଖି ବୁଜି ହସୁଥାଉ


ଆଘାତ ! ତୁ ଘୂର୍ଣ୍ଣିତ ଘୃତାଚୀ

  ଆଲୋକେ ବି ଆର୍ଦ୍ର ଘୂର୍ଣ୍ଣିବାୟୁ

ନିର୍ବିକାର ମଣିଷ ମନକୁ

  ବିକାରରେ କରୁ ତୁ ଅଳ୍ପାୟୁ

   

ଆଘାତ ! ମୋ' ଭାଗ୍ୟ ବିଡମ୍ବନା

  ଭଲ ପାଏ ମଣିଷ ମନକୁ

ଜଳେ ସିନା ନିଜ ଯନ୍ତ୍ରଣାରେ

  ବାଣ୍ଟେନି ମୁଁ ତୋତେ କାହାରିକୁ


ଯନ୍ତ୍ରଣା ମୋ' ଜୀବନ ଭୂଷଣ

   ମଣିଷ ମୁଁ,ଈଶ୍ୱର ବିସ୍ମାପ

ଆଘାତ, ତୁ ମାତଙ୍ଗ ମାଂସପ

   ସାଥୀ ତୋର ଦୁଷ୍କର୍ମ ଓ ପାପ


ଆଘାତ ! ତୁ ନିଷ୍ପ୍ରାଣ ବର୍ବର

   ପ୍ରାଣେ ପ୍ରାଣେ ନିହନ୍ତା ନୀକାର

ମିତ୍ର ମନେ ବିଷ ଗାତ୍ର ଖୋଳି

   ଦଂଶିଥାଉ ମହୁଆ ମନର


ଦୋଷ ମୋର ମଧୁର ବଚନ

   ମଧୁରାମ୍ଳ ନାହିଁ ମୋ' ମନରେ

ମୋ' ମନ ତ ପୁଣ୍ୟ ମଧୁକୁଲ୍ୟା

   ଜାଣି ବି ତୁ ଦଂଶୁ ଅକ୍ଳେଶରେ


ମୁଁ ମଣିଷ,ନୁହେଁ ମଧୁତୃଣ

   ଚୁସିଦେଇ ତାତ୍ସଲ୍ୟ କରିବୁ

ସେମିତି ବି ମୁଁ ସ୍ୱୟଂ ସାମାନ୍ୟ

   ମୋତେ ଜାଳି କି ଲାଭ ପାଇବୁ


ଆଘାତ ! ତୁ ନିର୍ବୀର ନିରୟ,

   ନାହିଁ ତୋର ସ୍ୱୟଂ ସ୍ୱାଭିମାନ

ପଶ୍ଚାତ୍ ଭାଗେ କରୁ ପଦାଘାତ

   ନାହିଁ ଦମ୍ଭ,ହେବୁ ସମ୍ବୁଖିନ


ଆଘାତ ! ତୁ ଶାନ୍ତି ସଂହାରକ

   ମୁଁ ପ୍ରଶାନ୍ତ,ଶାନ୍ତିର ବାହକ

ଅତର୍କିତ ତୋର ଆକ୍ରମଣ

   ସମୃଦ୍ଧିର ବିନାଶକାରକ


ଧିକ୍କାର ତୋ ଧୂମ୍ ଧୂଆଁବାଣ

   ଡରିବିନି, ଭାଙ୍ଗି ମୁଁ ଯିବିନି

ସ୍ୱଭାବେ ମୁଁ ଜୀବନ୍ତ ନିର୍ବାଣ

   ଆଗେଇବି,ପଛେଇ ଯିବିନି


ଆଗେଇବି ମୋ' ଲକ୍ଷ୍ୟ ନିରେଖି

   ଗୌରବେ ମୁଁ ହେବି ବିମଣ୍ଡିତ

ମୁଁ କିଏ ସେ ? ଦଣ୍ଡିବାକୁ ତୋତେ

   ଆପେ ତୁହି ହେବୁ ସଙ୍କୁଚିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics