ସ୍ୱାଧୀନତାର ଆନନ୍ଦ
ସ୍ୱାଧୀନତାର ଆନନ୍ଦ
ତିନି ବର୍ଷ କାରାଦଣ୍ଡ ଭୋଗି ପୀତବାସ
ମୁକ୍ତ ହୋଇ ଫେରୁଥିଲା ନିଜର ଆବାସ |
ଦେଖେ ବଜାର ମୁଣ୍ଡରେ ଜଣେ ବ୍ୟବସାୟୀ
ପଞ୍ଜୁରୀରେ ଶୁଆ ରଖି ବିକ୍ରି କରୁଥାଇ |
ତା ପାଶେ ପ୍ରବେଶି ପୀତବାସ ହେଲା ଠିଆ
ପଚାରିଲା କେତେ ମୂଲ ଅଟେ ତୁମ ଶୁଆ |
ଗୋଟିକୁ ଏକଶ'ଟଙ୍କା ବିକୁଅଛି ମୁହିଁ
ପୀତ ବୋଲେ ସବୁତକ ମୁହିଁ କିଣିବଇଁ |
ସର୍ବମୋଟ ପନ୍ଦରଟି ଶୁଆ ତାର ଥିଲା
ବାର ଶହ ଟଙ୍କା ଦେଇ ପୀତବାସ ନେଲା |
ତାହାରି ଆଗରେ ପଞ୍ଜୁରୀକୁ ଖୋଲି ଦେଇ
ଗୋଟି ଗୋଟି କରି ସବୁ ଦେଲାକ ଉଡ଼ାଇ |
ପଞ୍ଜୁରୀରୁ ଯେଉଁ ଶୁକ ବାହାରଇ ନାହିଁ
ହାତରେ କାଢ଼ି ତାହାକୁ ଦିଅଇ ଉଡ଼ାଇ |
ଚଢ଼େୟା କହିଲା ଭାଇ କଣ ପାଇଲ
ଏତେ ଗୁଡ଼ାଏ ପଇସା ପାଣିକି ଫିଙ୍ଗିଲ |
ଭାଷେ ପୀତବାସ ହାସ ପ୍ରକାଶି ମୁଖର
ତୁମେ କାହୁଁ ବୁଝିବ ଆନନ୍ଦ ସ୍ବାଧୀନର |
ପଞ୍ଜୁରୀ ଭିତରେ କେଡ଼େ କଷ୍ଟ ପାଉଥିଲେ
ଡେଣା ଜାକି ଦିନ ରାତି ଲୁହ ଢାଳୁଥିଲେ |
ମୁକ୍ତ ଆକାଶରେ ଏବେ ଉଡିଗଲେ ସୁଖେ
ମୁକ୍ତବ୍ୟୋମଚାରୀ ବନ୍ଧନରେ ଥିଲେ ଦୁଃଖେ |
ଜୀବନରେ ତୁମେ ଭୋଗି ନାହଁ କାରାକଷ୍ଟ
ବନ୍ଦୀ ଜୀବନର ଦୁଃଖ ଜାଣିବ କେମନ୍ତ |
ଆଜି କାରାମୁକ୍ତ ମୁହିଁ ଆହା କି ଆନନ୍ଦ
ହାତେ ଖସି ପଡ଼ିଛି କି ସରଗର ସମ୍ପଦ |
