ସ୍ୱାଧୀନତା ତୁମେ
ସ୍ୱାଧୀନତା ତୁମେ
କୁହ ଏବେ ସ୍ୱାଧୀନତା ତୁମେ କେଉଁଠି
ବାବୁଙ୍କ ଦପ୍ତରରେ ଦବି ରହିଥିବା
କେଉଁ କାଳରୁ ସେଇ ଅସହାୟର
ଦରଖାସ୍ତ କାଗଜଟିରେ, ନା ପାଞ୍ଚ ପୁଅଥାଇ
ସହରର ଗଳି କନ୍ଦି ବୁଲି ପେଟପାଳୁଥିବା
ସେଇ ହତଭାଗିନୀ ପାଖରେ ।
ତେବେ କୁହ ସ୍ୱାଧୀନତା ତୁମେ କେଉଁଠି
ଜିଇଁବାର ସ୍ୱପ୍ନ ଦେଖି ନିର୍ଭୟରେ
ରାସ୍ତାଚାଲୁଥିଲାବେଳେ ଦେହ ରାକ୍ଷସଙ୍କଠାରୁ
ଧର୍ଷିତା ହେଇ ଜୀବନ ବିତାଇବାରେ
ନା ସେଇ ଚରିତ୍ରହୀନ ଲମ୍ପଟ ର
ପ୍ରେମର ମାୟା ଜାଲ ରେ ନିରୀମାଖୀଟିଏ
ଛନ୍ଦିହେଇ ଛଟପଟ ହେବାରେ ।
ଥରେ କୁହ ସ୍ୱାଧୀନତା ତୁମେ କେଉଁଠି
କଣ ସଫେଦ କୁର୍ତ୍ତା ପିନ୍ଧା ଜନତାଙ୍କୁ
ଜନାର୍ଦ୍ଦନ କହୁଥିବା ମହାଲୋଭି,
ସର୍ବଗିଳା, ଗଜମୁର୍ଖଙ୍କ ଚଉକିରେ
ନା ସରକାରୀ ଘରେ ତଳ ପଦବୀରେ
କାର୍ଯ୍ୟରତ ମୁଁ କରିଦେବି କହୁଥିବା
ଗୋଟିଏ ଚୋର ତସ୍କରର ପକେଟରେ ।
ସତକୁହ ସ୍ୱାଧୀନତା ତୁମେ କେଉଁଠି
ଓଃ ହନ୍ତସନ୍ତ ହେଇ ଦାଦନ ପାଇଁ
ବିଦେଶ ଯାଉଥିବା ଖଟିଖିଆର
ଟାଣୁଆ ହାତରେ, ନା ବର୍ଷ ବର୍ଷ ଧରି
ବାବୁ ମାନଙ୍କ ପାଇଁ ଲହୁ ଲୁହ ଏକକରି
ସ୍ୱଳ୍ପ ପାଉଣାରେ ନିଜର ଗୁଜୁରାଣ
ମେଣ୍ଟାଉଥିବା ଗରିବ ର ହକ୍ ରେ?