ସ୍ୱାଧୀନ ଦେଶର ରଖିବା ମାନ
ସ୍ୱାଧୀନ ଦେଶର ରଖିବା ମାନ


ଜାତି ଜାତି କେତେ ପ୍ରଜାତିର ଫୁଲ
ମାଳା ଗୁନ୍ଥି ହୋଇ ଦିଶେ ସୁନ୍ଦର,
ନାନା ଜାତି ନାନା ଧରମ ମିଶିକି
ମହୀରେ ଭାରତ ଦେଶ ସୁନ୍ଦର। [୧]
ନାନା ଭାଷା ଭାଷୀ , ନାନା ଭାବ ଭଙ୍ଗୀ
କେତେ ଭିନ୍ନ ରୁଚି, ଭିନ୍ନ ବେଭାର,
ଭିନ୍ନ ଭିନ୍ନ କେତେ ଭୌଗୋଳିକ ସ୍ଥିତି,
ଭିନ୍ନ ଭିନ୍ନ ନଦ-ନଦୀ ସାଗର। [୨]
ଅହଂତ୍ୱକୁ ଭୂଲି, ନଦ-ନଦୀ ଯେହ୍ନେ
ଖୁସିରେ ସାଗରେ ରହନ୍ତି ମିଶି,
ବିଭିନ୍ନ ଧରମ-ପରମ୍ପରା-ଜାତି,
ମିଳିମିଶି ଆମେ ଭାରତ ବାସୀ। [୩]
ସବୁଠୁ ଉତ୍କୃଷ୍ଟ ଶାସନ ପଦ୍ଧତି
ମୋ ଦେଶେ ବୃହତ୍ତମ ଗଣତନ୍ତ୍ର,
ଗଣଙ୍କର, ଗଣଦ୍ୱାରା, ଗଣ ପାଇଁ,
ଅଭିନ୍ନ ଏହାର ମୌଳିକ ମନ୍ତ୍ର । [୪]
ଯାର ପୁରାତନ ଧର୍ମଗ୍ରନ୍ଥ ବେଦ
କହେ
ସାରା ବିଶ୍ବ କୁଟୁମ୍ବ ସମ,
ବିଭିନ୍ନତା ମଧ୍ୟେ ଏକତାର ଶିକ୍ଷା
ଶତ ନମଃ! ମୋ ଭାରତ ଧାମ। [୫]
ଶାନ୍ତି ପ୍ରିୟ ଜନ୍ମଭୂମିରେ ଏବେବି
ଧରମର ଲାଗି ରକତ ପାତ,
ଧର୍ମାନ୍ଧତା ତେଜେ ହିଂସା, ବର୍ବରତା,
ନିରିହ ମଣିଷ ହୁଏ ବିନାଶ। [୬]
ଧରମଟି ପରା ଜୀବନର ଧାରା
ବାଦ ବିବାଦର ମତରୁ ଦୂର,
ଅହିଂସା, ଏକତା, ଭଲପାଇବାରେ
'ମାନବିକତାଟି' ମୂଳ ମନ୍ତର। [୭]
ନେବାଟି ଶପଥ, ଅନ୍ତରେ ସୁପତ
'ମଣିଷ ପଣିଆ' ଦେବା ଜଗାଇ,
ସହନଶୀଳତା, ପରୋପକାରତା,
ସମାନତା ଭାବ ଉଠିବ ଚେଇଁ। [୮]
ଜନନୀ ଜଠରୁ, ଶମଶାନ ଯାଏଁ
ନାରୀକୁ ଦେଇ ଯଥା ସନମାନ,
ସତ୍ୟ, ଶାନ୍ତି ପଥ ଅନୁସରିଗଲେ
ସ୍ୱାଧୀନ ଦେଶର ରହିବ ମାନ। [୯]