ଅହିଂସା ପରମ ଧର୍ମ
ଅହିଂସା ପରମ ଧର୍ମ
ଥରେ ଆବୋରିକି ଦେଖ
ସେ ହିମ ସମ ଶାନ୍ତିଭରା ଶୀତଳ ପ୍ରଭାକୁ,
ରକ୍ତମୁଖା ଲେଲିହାନ ଆତଙ୍କର ମଧ୍ୟାହ୍ନକୁ ଛାଡ଼ି
ଥରେ ଜୀଇଁ ଦେଖ ପ୍ରଭାତର ଶେଫାଳି ଛୁଆଁକୁ ।
ହିଂସାରୁ କି ପାଇଯିବ ତୁମେ
ଜୀବନ ମରୁପଥର ଶେଷ ପରିସୀମା,
ପ୍ରତିହିଂସାର ପାଲଟା ଆକ୍ରମଣରେ ପ୍ରତିଥର ପରି
ତୁମେ ରଚି ଚାଲିଥିବ ଆଉ ଏକ ଜଳନ୍ତା ଲାଳିମା ।
ବନ୍ଧୁକ ମୁନରେ ଛଟପଟ ହୁଏ ସିନା
ଆଶାଭର୍ତ୍ତି ଜୀବନର ନିରୀହ କ୍ଷଣ ସବୁ ଯେତେ
କାହିଁକି କେଜାଣି ଆଲିଙ୍ଗନକୁ ଆଡେ଼ଇ ଦେଇ
ମଣିଷ ଆବୋରି ନିଏ ପଦାଘାତର ପଦାବଳୀ ସତେ ।
ସେ ଆଣ୍ଠୁଲୁଚା ପାଦ ଯୋଡ଼ିକ ଆଜି
ଲୁଚିଗଲା ସିନା ଧାଇଁ ଧାଇଁ ଦେଶ ବିଦେଶରେ,
ଆମେ ତାକୁ ଆଦର୍ଶ କରି ଟାଙ୍ଗିଦେଲୁ କାନ୍ଥରେ ବାଡ଼ରେ
ଓ ବୁଡ଼ିଗଲୁ ଆମ ଚିରାଚରିତ ସ୍ବେଚ୍ଛାଚାରିତାରେ ।
ସର୍ବ ଧର୍ମ ଜାତି ବର୍ଣ୍ଣଙ୍କର ସମ୍ମିଳିତ ମନ୍ତ୍ର
ଅହିଂସା ହିଁ ଶାନ୍ତିର ଏକମାତ୍ର ସ୍ଥୁଳ ଆବାହକ,
ପାଶୋରି ଦେଖ ଥରେ ହିଂସାର କୁଚକ୍ରି ବ୍ୟୁହକୁ
ଜୀବନଟା ପାଳଟିବ ନୀଳଗିରି ଆଶ୍ରୟରେ ଶୀତପ୍ରବାହକ
କର୍ମରେ ଓ କର୍ତ୍ତବ୍ୟରେ ସ୍ୱପ୍ନ କିମ୍ବା ବାସ୍ତବରେ
ଆହିଂସା ଆଦରି ଦେଖ ଆଚାର ଓ ପ୍ରତି ବିଚାରରେ,
ଦୟା କ୍ଷମା ସହିଷ୍ଣୁତା ଜୀବନର ହେଉ ପ୍ରାଣବାୟୁ
ପ୍ରେମର ଫଲ୍ଗୁଧାରା ବହିଯାଉ ପ୍ରତି ହୃଦୟରେ ।
ଅହିଂସା ହିଁ ଜୀବନର ସାର
ଅହିଂସା ପରମ ତପ ଯଜ୍ଞ ଦମଃ ଦାନ ସୁଖ ଧର୍ମ
ଅହିଂସା ପରମ ମିତ୍ର ସୁଖ ଶିକ୍ଷା ଓ ବଞ୍ଚିବାର ସୂତ୍ର
ସାଂସାରିକ ଯେତେ ଦ୍ଵନ୍ଦ ଅହିଂସା ହିଁ ଏକମାତ୍ର ସୁରକ୍ଷାର ବର୍ମ ।
