ନଈ
ନଈ
ଗିରି କନ୍ଦରରୁ ପାହାଡ଼ି ଲଳନା
ସମ ବହିଆସେ ନଈ
ଅଙ୍କାବଙ୍କା ପାଠ ଦେଇ ଝରିଯାଏ
ପୃଥିବୀର ବକ୍ଷ ଧୋଇ।
ଗଙ୍ଗା ଗୋଦାବରୀ ନର୍ମଦା ବ୍ରାହ୍ମଣୀ
ଯମୁନା ସିନ୍ଧୁ କାବେରୀ
ଆଦି କେତେ ନାଁ ପବିତ୍ରତା ଗୁଣେ
ଅନୁପମ ଗୁଣଧାରୀ।
କୂଳ ଉପକୂଳ ଜନପଦେ ଯା'ର
ମନ୍ଦିର ଦେବାଳୟର
ପବିତ୍ରତା ଭରି ରହିଅଛି ସତେ
ବଇଭବ ମନୋହର।
ସ୍ନାନ, ଦାନ, ମନ୍ତ୍ର, ତର୍ପଣ,ଆଳତି
ଘଣ୍ଟ ଘଣ୍ଟା ଧ୍ୱନି ଶୁଭେ
ସଞ୍ଜ ସକାଳର ଶାନ୍ତ ପରିବେଶ
ନାଉରୀ ବସିଛି ନାବେ।
କେତେବେଳେ ମହୀ ଶସ୍ୟ ଶ୍ୟାମଳାରେ
ତା'ପାଇଁକି ଭରିଯାଏ
କେତେବେଳେ ପୁଣି ଉଗ୍ରରୂପ ତା'ର
ବନ୍ୟାସୃଷ୍ଟି କରିଥାଏ।
ଉତଫଣିତ କ୍ରୋଧିତ ଫୁତକାରେ
ପ୍ରଳୟ ରଚଇ ନଈ
କେବେକେବେ ପୁଣି ଗ୍ରୀଷ୍ମର ପ୍ରକୋପେ
ଶୀର୍ଣ୍ଣ କ୍ଷୀଣ ତନୁ ହୋଇ।
ଖୋଜୁଥାଏ ସତେ ଆକୁଳେ ମଲ୍ହାର
ଗାଇବାକୁ କ୍ଷୀଣସ୍ୱରେ
ମେଘ ଆଗମନେ କାଶତଣ୍ଡୀ ଶୁଭ୍ର
ଆଲଟ ଚାମର ଧରେ।
ଝରଝର ହୋଇ ଝରିଆସେ ନୀର
ନାଳ ନରଦମା ମାନୁ
ଶାଖା ପ୍ରଶାଖା ତା' ସୂଦୂର ପ୍ରସାରୀ
ହୁଏ ପରିପୃଷ୍ଟ ତନୁ।
ନିମ୍ନଗାମୀ ହୋଇ ବିସ୍ତୃତିର ଶେଷେ
ମିଶି ସାଗର ସଙ୍ଗମେ
ସ୍ରୋତସ୍ୱିନୀ ହୋଇ ଆସୁଆସୁ ଦିନେ
ସମତଳ ଅତିକ୍ରମେ।
ସବୁ ବନ୍ଧନକୁ ପଛରେ ପକାଇ
ଲମ୍ଫଦିଏ ସିନ୍ଧୁ ବକ୍ଷେ
ଆପଣାର ଧର୍ମ ଅସ୍ତିତ୍ବକୁ ଭୁଲି
ମିଶିଯାଏ ଚିରସୁଖେ।