ରୁଟିର ପ୍ରକୃତ ଛବି
ରୁଟିର ପ୍ରକୃତ ଛବି
କ୍ଷୁଧାରେ ଆତୁର ଜୀବନ ଯାହାର
ସେ ବୁଝେ ରୁଟିର ମୂଲ୍ୟ
ସାଦରେ କରେ ସେ ଭୋଜନ ତାହାକୁ
ଭାବି ନିଜ ସୁଧା ତୁଲ୍ୟ ।
ଭାଗ୍ୟ ଅନୁସାରେ ରୁଟି ପ୍ରାପ୍ତି ହୁଏ
ଏହା ତ ନିରାଟ ସତ୍ୟ
କୃପଣ ମନୁଷ୍ୟ ପିତାକୁ ଦିଏନା
ସେ କି ଖୋଇବ ଭୃତ୍ୟ ।
ରୋଟି ଦିଏ ଜ୍ଞାନ ରୋଟି ଯୋଗୁଁ ଧ୍ୟାନ
ବୃଦ୍ଧି ହୁଏ ବେଳୁ ବେଳ
ଚରିତ୍ର ବିକାଶେ କିଏ ଧର୍ମ ଦିଗେ
ପୁଣି କିଏ ଚୋର ଖଳ ।
ଅଜ୍ଞାନ କି ବୁଝେ ରୁଟିର ମହତ୍
ନଷ୍ଟ କରେ ରାତି ଦିନ
ହାତ ପତାଇଲେ ଧିକ୍କାରନ୍ତି ଜନେ
ଦୁଆରେ ନ ଯାଆନ୍ତି ଦୀନ ।
ବିବାହ ଭୋଜନେ ଆନନ୍ଦେ ଢାଳନ୍ତି
ବିବିଧ ରକମ ଖାଦ୍ୟ
ରୁଟି ନପାଇଣ ଗରିବ ମରନ୍ତି
ପାନୀୟ ବିଦେଶୀ ମଦ୍ୟ ।
କର ଲେଉଟାଏ ସମୟର ବଳ
ତହିଁରୁ ବୁଝିବ ଫଳ
ଆଜି ଯିଏ ଧାଏଁ ଖଣ୍ଡେ ରୁଟି ପଛେ
କାଲି ସେ ଧନରେ ବଳ ।
ଶୁଦ୍ଧ ଚିତ୍ତ ମନେ ଉତ୍ସର୍ଗୀତ କର
ରୁଟି ଖଣ୍ଡେ ନିରାଶ୍ରୟେ
କେତେ ଆଶୀର୍ବାଦ ବରଷି ପଡ଼ିବ
ପର ଯେ ଆପଣା ହୁଏ ।
