ରଙ୍ଗାଜୀବ ଗଙ୍ଗାଧର
ରଙ୍ଗାଜୀବ ଗଙ୍ଗାଧର
ପଶ୍ଚିମରେ ଉଇଁ ଶ୍ରାବଣ ଆକାଶେ
ପୂର୍ଣ୍ଣିମା ଅଲୋକେ ଆଜି ।
ବିଶ୍ୱେ ମଧୁମୟ ସାଗରେ ଅମୃତ
ବିକଶିତ ବନରାଜି ।।
ଅମୃତ ସନ୍ତାନ ଅମୃତ ସାଗରେ
ଅମୃତ ଜୀବନ ଧରି ।
ଅମୃତ ସନ୍ଧାନୀ ଅମୃତ ପରଶ
ଅମୃତମୟ ବାରି ।
ଦରିଦ୍ରର କଷାଘାତରୁ ବାହାରି
ପ୍ରକୃତିର ବର୍ଣ୍ଣ ଭେଦ ।
ସୂକ୍ଷ୍ମାତି ସୂକ୍ଷ୍ମର ମରମର ଗାଥା
କହେ ଖଦ୍ୟୋତର ଖେଦ ।।
ଚିର ସ୍ମରଣୀୟ ଚିର ବନ୍ଦନୀୟ
ଅପୂର୍ବ ସେ କୀର୍ତ୍ତିରାଜି ।
ମାନବୀୟ ବଳେ ଦୁର୍ବଳତା ଏଡି
ଭାଷାର ପ୍ରହରୀ ସାଜି ।।
କାବ୍ୟର ଆକାଶେ ଜ୍ୟୋତି ପରସାଇ
ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ।
ଅନ୍ତରୀକ୍ଷ ଠାରୁ ଅଭେଦ୍ୟ ଅରଣ୍ୟ
ମାତୃଭାଷାର ମହତ୍ଵ ।।
ଭାଷା ସାହିତ୍ୟର ସୁଦକ୍ଷ ବିନ୍ଧାଣୀ
ସୃଜନର ଯାଦୁଗର ।
ସ୍ମିତସିକ୍ତ ମଧୁ ପରଷି ଦେଇଛ
ସାହିତ୍ୟର କାରିଗର ।।
ଶୁଦ୍ଧ ସଚେତନ ଚେତନା ମଧ୍ୟରେ
ସୂକ୍ଷ୍ମ ଗଗନ ବିହାରୀ ।
ସ୍ନିଗ୍ଧ ସାଧକ ହେ ତୁମ ସ୍ମୃତି ଧୃତି
ଝରାଏ ଅମୃତ ବାରି ।।
କାଳଜୟୀ କାବ୍ୟ କବିତା ପରସି
ମହିମାନ୍ୱିତ ବାରିଧି ।
ଘୋର ଅମାବାସ୍ୟା ଅନ୍ଧକାର କିବା
ରଖିବ ତୁମକୁ ବାନ୍ଧି ।
ଆସ ଅବତରି ଆହେ ଗଙ୍ଗାଧାରୀ
ଅଜ୍ଞାନ ଅନ୍ଧାର ତେଜି ।
ରଙ୍ଗାଜୀବ ତୁମ ରଙ୍ଗର ପସରା
ଜଗତ ଝୁରଇ ଆଜି ।।
