ରଙ୍ଗ
ରଙ୍ଗ
ରଙ୍ଗ ଶବ୍ଦ ଶୁଣି ଉତ୍ସାହିତ ମୋହିତ ଉଲ୍ଲସିତ
ପୁଲକିତ ହୁଏ ରଙ୍ଗତୁଳୀର ଯାଦୁକର ଚିତ୍ରକର,
ରଙ୍ଗ ଶବ୍ଦ ଶୁଣି ଶିଶୁ ଓଠେ ଫୁଟିଯାଏ ହସଫୁଲ
ଭାବ ଆସେ ମନେ ଚକଲେଟ ଓ ଖେଳନାର,
ରଙ୍ଗ ଶବ୍ଦ ଶୁଣି ଶ୍ରୀକୃଷ୍ଣଙ୍କୁ ଝୁରନ୍ତି ପ୍ରେମମୟୀ ରାଧା
ଅବିରତ ଅବିରର ଖେଳ ଭରିଦିଏ ମନେ ପ୍ରୀତି ମଧୁର,
ରଙ୍ଗ ଶବ୍ଦ ଶୁଣି ମନେପକାନ୍ତି ଅନେକ ସେ ଶୁଭମଣିଷଙ୍କୁ
ଯାହାଙ୍କ ଆଗମନେ ଦେବାଶିଷ ମିଳେ ଯେବେ ଜନ୍ମ ଶିଶୁର,
ରଙ୍ଗ ଶବ୍ଦ ଶୁଣି ଅଭିନେତା ମନେ ଜୀବନ ଆଶାର
ସତ ଲୁଚାଇ ମିଛରେ କାନ୍ଦନ୍ତି ମିଛରେ ହସନ୍ତି କଳାକାର,
ରଙ୍ଗ ଶବ୍ଦ ଶୁଣି ବାଳକଟେ ମନେ ପକାଏ ଇନ୍ଦ୍ରଧନୁ ନଭେ
ରଙ୍ଗ କହେ ସବୁଜତାର ଧରିତ୍ରୀ ଆମ ପ୍ରାଣର ଆଧାର,
ରଙ୍ଗ ଶବ୍ଦରେ ସଧବା ନାରୀ ନିଜର ପୂର୍ଣ୍ଣତାକୁ ସ୍ମରଣେ
ରଙ୍ଗ ଶବ୍ଦରେ ମାଳିଟିଏ ନିଜ ଜ୍ଞାନ ମାପେ ପୁଷ୍ପଲତାର,
ରଙ୍ଗ ହିଁ ଜୀବନ କଳା ହେଉ ଅବା ଧଳା ହେଉ ପଛେ
ପ୍ରେମର ଗୀତ ଗୋଲାପି ଓଠ ଓ ଗୋଲାପି ରଙ୍ଗର।
