ରକ୍ତତୀର୍ଥ
ରକ୍ତତୀର୍ଥ
ଉଣେଇଶ ଶହ ବୟାଳିଶ ବର୍ଷ
ସେପ୍ଟେମ୍ବର ଅଠେଇଶି,
ଭଦ୍ରକ ଜିଲ୍ଲାର ବାସୁଦେବପୁର
ନିକଟେ ଇରମ ବାସୀ ।
ମଜା ମଜଲିସ ଖୁସି ମନ ଭରି
କାଟୁଥିଲେ ସମୟକୁ,
ସ୍ୱାଧୀନତା ପାଇଁ ଗ୍ରାମ ପଡ଼ିଆରେ
କରୁଥିଲେ ବୈଠକକୁ ।
ସନ୍ଧ୍ୟା ସମୟରେ ଇଂରେଜ ଫଉଜ
ଆକ୍ରମଣ କଲେ ସେଠି,
ସଭା ସ୍ଥଳେ ରକ୍ତ ହୋଲି ଖେଳିଗଲା
ପାରିଲେନି କେହି ଉଠି ।
ଚାରିଆଡୁ ଘେରି ଫିରିଙ୍ଗି ସୈନ୍ୟ
ଖେଳିଲେ ରକ୍ତର ହୋଲି,
ଏକ ଏକ କରି ଅଣତିରିଶଙ୍କ
ହୋଇଗଲା ପ୍ରାଣ ବଳୀ ।
ସ୍ବାଧୀନତା ପାଇଁ ଜୀବନ ହାରିଲେ
ଗଣ ହିଂସାର ପ୍ରକୋପେ,
ପଡ଼ିଆଟି ହେଲା ରକ୍ତ ଜୁଡୁବୁଡୁ
ଇଂରେଜ ହିଂସାର କୋପେ ।
ଭାରତ ଛାଡ଼ ଆନ୍ଦୋଳନରେ
ଇଂରେଜଙ୍କ ଥିଲା ରାଗ,
ନୃଶଂସ ଭାବରେ ରଚିଲେ ଦ୍ଵିତୀୟ
ଜାଲିଆନାୱାଲାବାଗ ।
ବଳିଦାନ ଦେଇ ବୀର ଭାରତୀୟ
ଲେଖିଲେ ନୂଆ ଚରିତ,
ଇରମ ମାଟିରେ ରଚି ଇତିହାସ
ରକ୍ତତୀର୍ଥ ନାମେ ଖ୍ୟାତ ।
