ରକେଟଠାରୁ ଶିକ୍ଷା
ରକେଟଠାରୁ ଶିକ୍ଷା
ଭାବିଛ କି ବନ୍ଧୁ ତୁମେ ଭାବିଛ କି ଥରେ
ଚନ୍ଦ୍ରଯାନ କିପରି ପୃଥ୍ବୀ ସୀମା ଲଙ୍ଘିପାରେ||
ଟେକାଟିଏ ଫିଙ୍ଗିଦେଲେ ଉପରକୁ ଥରେ
ଭୂପତିତ ହୁଅଇ ନ ଯାଇ ଆକାଶରେ||
ପୃଥିବୀର ମାଧ୍ୟାକର୍ଷଣର ପ୍ରଭାବରେ
ଟାଣି ହୋଇ ଫେରିଆସେ ପଡେ ଭୂମିପରେ||
ପୃଥିବୀର ଚତୁଃପାର୍ଶ୍ବେ ମାଧ୍ୟାକର୍ଷଣ କ୍ଷେତ୍ର
ତାହା ମଧ୍ୟେ ଥିବା ବସ୍ତୁ ଆକର୍ଷଣ ପାତ୍ର||
ସେହି କ୍ଷେତ୍ର ବସ୍ତୁଟିଏ ଲଙ୍ଘିଯାଏ ଭଲେ
ମାଧ୍ୟାକର୍ଷଣୀୟ ସ୍ଥିତିଜ ଶକ୍ତି ଅତିକ୍ରମ କଲେ ||
ମହାକାଶ ଯାନ ଯେବେ ମହାକାଶେ ଯାଏ
ବହୁପରିମାଣେ ଶକ୍ତି ତାର ଲୋଡା ଥାଏ||
ସେହି ଶକ୍ତି ବଳେ ଲଙ୍ଘି ପୃଥିବୀର କ୍ଷେତ୍ର
ମହାକାଶେ ପ୍ରବେଶଇ ଛାଡି ପୃଥ୍ବୀ କ୍ଷେତ୍ର||
କେଉଁଠାରୁ ଏତେ ଶକ୍ତି ତାକୁ ମିଳିପାରେ
ମନକୁ ତୁମ ବୋଧହୁଏ ଆନ୍ଦୋଳିତ କରେ||
ବୁଝାଇ କହୁଛି ମୁହିଁ ଶୁଣିରଖ ଥରେ
ମଲ୍ଟି ଷ୍ଟେଜ୍ ରକେଟଖଞ୍ଜା ସେଯାନରେ||
ପ୍ରତି ରକେଟରେ ଥାଏ ଜାଳେଣୀ କକ୍ଷ
ନିମ୍ନ ଭାଗେ ଜାଳେଣୀକୁ ରଖିବାର ଲକ୍ଷ୍ୟ||
ଜାଳେଣୀ ଦହନ ହେଲେ ଗ୍ୟାସୀୟ ଉତ୍ପନ୍ନ
ଲାଭ କରେ ସଂବେଗ ଯେ ହୋଇ ନିର୍ଗମନ||
ସଂବେଗର ସଂରକ୍ଷଣ ନିୟମ କହଇ
ସମୁଦାୟ ସଂବେଗ ମାନ ସମାନ ରହଇ||
ଗ୍ୟାସୀୟର ସଂବେଗ ନିମ୍ନ ଦିଗେ ଯେତେ
ବ୍ୟୋମଯାନ ସଂବେଗ ଉର୍ଦ୍ଧ୍ବ ଦିଗେ ସେତେ||
ଉର୍ଦ୍ଧ୍ବ ସଂବେଗ ବଳରେ ଯାନ ଉପରକୁ ଯାଏ
ଜାଳେଣୀ ବହନକାରୀ ଜଳି ଯାନଚ୍ୟୁତ ହୁଏ||
ଜାଳେଣୀ ନିଜେ ଜଳି ଯାନଟିକୁ ଶକ୍ତିଶାଳୀ କରେ
ସେହି ଶକ୍ତି ବଳେ ଯାନ ମହାକାଶେ ଯାତ୍ରା କରେ||
ସୋପାନ ପରେ ସୋପାନ ଏପରି ଘଟି ଚାଲେ
ରକେଟ ପରେ ରକେଟ ଜଳିଚାଲେ ଭଲେ||
ପ୍ରତି ରକେଟ ଜାଳେଣୀର ଦହନ ବଳରେ
ମହାକାଶଯାନ ଶକ୍ତି ପରେ ଶକ୍ତି ଲାଭ କରେ||
ସେହି ଶକ୍ତି ବଳେ ଯାନ ଆଗେ ଚାଲେ ମାଡି
ଜଳୁଥିବା ରକେଟ ପାଉଁଶ ଗ୍ୟାସ ସବୁ ଛାଡି||
ସୋପାନ ପରେ ସୋପାନ ଏହା ଚାଲିଥାଏ
ମହାକାଶ ଯାନ କ୍ରମେ ଆଗକୁ ବଢୁଥାଏ||
ସଂସାର ଭିତରେ ଆମେ ଘର କରିଥାଉ
ଜୀବନ ସଂଗ୍ରାମେ କେତେ ଦୁଃଖ କଷ୍ଟ ପାଉ||
ଦୁଖ କଷ୍ଟ ଅଟେ ଜାଣ ରକେଟ ଜାଳେଣୀ
ସଂବେଗ ଦିଅଇ ଆମ୍ଭେ ଶକ୍ତି ଦିଏ ପୁଣି||
ସେ ଶକତି ବଳେ ଆମେ ଅଗ୍ରଗତି କରୁ
ଶକ୍ତିଶାଳୀ ହୋଇ ଦୃଢତର ହୋଇପାରୁ||
ଜାଳେଣୀ ରକେଟ ଯାନ ସଙ୍ଗେ ରହିଗଲେ
ଅଯଥା ଯାନର ଭାର ବଢାନ୍ତା ସେ ଭଲେ||
ଯାନର ବେଗକୁ ତାହା ଦିଅନ୍ତା କମାଇ
ଜାଳେଣୀ ରକେଟ ଖସିବା ଲୋଡା ସେଥିପାଇଁ||
ମଣିଷ ଜୀବନ ପଥେ ଠିକ୍ ସେହିପରି
ଦୁଃଖ କଷ୍ଟ ଜାଳେ ଆମ୍ଭେ ତିଳ ତିଳକରି||
ସେ ଜ୍ବଳନ ଶକ୍ତି ଦେଇ କରେ ଶକ୍ତିଶାଳୀ
ଦୃଢ କରେ ମଣିଷକୁ ପୁଣି ବେଶି ବଳଶାଳୀ||
ଦୁଃଖକଷ୍ଟ ମଣିଷକୁ ଭାରାକ୍ରାନ୍ତ କରେ
ଜାଳେଣୀ ରକେଟ ସମ ତାକୁ ଛାଡିବା ପଛରେ||
ନୋହିଲେ ଆମ ଅଗ୍ରଗତି ଶୀଥିଳ ହୋଇବ
ଅଯଥାରେ ଦେହ ପ୍ରାଣ ଭାରାକ୍ରାନ୍ତ ହେବ||
ରକେଟର ନୀୟମଟି ଦିଏ ଏହି ଶିକ୍ଷା
ଦୁଃଖ କଷ୍ଟ ପଛେ ଛାଡି ଆଗେଇବା ଦୀକ୍ଷା||
ଜୀବନରେ ଆସୁ ଯେତେ ସବୁ ଝଡଝଞ୍ଜା
ପଛକୁ ଠେଲି ଆଗେଇବାର କର ସାଜ ସଜ୍ଜା||
ଦୁଃଖଭାବି ଡରିବାନି ହେବାନି ଅଧିର
ତାକୁ ଛାଡି ଆଗେଇବା ଛାତି କରି ପଥର ||