ରଜ ହେଉନାହିଁ ସଜ
ରଜ ହେଉନାହିଁ ସଜ
ବନସ୍ତରେ ଆଉ ଡାକୁନି ଗଜ
ଗଜ ପାଇଁ ପରା ମଣିଷ ଖଞ୍ଜ ।
ଦୁଇ ବର୍ଷ ହେଲା ଆସୁଛି ରଜ
ହେଲେ ରଜ ପାଇଁ ନାହିଁ ମଉଜ ।
ସାତ ସପନ ତ ହେଇଛି ରଜ
ସାବିତ୍ରୀ ସାଂଗକୁ ପରବ ରଜ ।
ସବୁ ମହାମାରୀ ଦେଇଛି ଚାଟି
ଗୃହବନ୍ଦୀ ଏବେ ରଜ ପାଇଟି ।
କେବେ ସେ ପହିଲି କେବେ ସଂକ୍ରାନ୍ତୀ
ତିଥି ବାର ସବୁ ହୋଇଛି ଇତି ।
ତୋଟା ମେଳସବୁ ହୋଇଛି ମନା
ଦୋଳି ଖେଳିବାକୁ ସାଥି ଡାକନା ।
ଲକଡାଉନ୍ ପୁଣି କରୁଛି ଚାଷ
ମିଳୁନି ଆମ୍ବଟେ ପୁଣି ପଣସ ।
ଗାଆଁରୁ ସହର ହୋଇଛି ଏକା
ରଜ ପରବଟା ପଡିଛି ଫିକା ।
ବାଗୁଡି ପୁଚିରେ ହୋଇଲେ ସାଙ୍ଗ
ସାଥି ମେଳ ଦେଖି କରୋନା ରାଗ ।
ଛକି ଶୂନ ସବୁ ରାସ୍ତା ଘାଟରେ
ଶହେଆଠ ରାବ ଶୁଭେ ଦୂରରେ ।
ମାଆ କୋଳୁ ପୁଅ ଯାଉଛି ଚାଲି
କି ରଜ ପାଳିବୁ କହ ବଗୁଲୀ ।
ହାଣ୍ଡି ଧୋଇବ ନା ହାଣ୍ଡି ଛାଡିବ
ମହାମାରୀ ପୁଣି ଦେଉଛି ରାବ ।
ନାହିଁ ପୋଡ ପିଠା ନାହିଁ ଅଳତା
ରଜ ପିନ୍ଧୁଅଛି ଶ୍ମଶାନ ଚିତା ।
ରଜସ୍ବଳା ସିନା ହୁଏ ଧରଣୀ
କରୋନା ପାଇଁ ସେ ଆଜି ବାୟାଣୀ ।
କୁଆଁରୀଟେ ଆଉ କରୁନି ମନ
ହେବ ରଜ ସଜ ଏ ତିନି ଦିନ ।
ଜୀବନ ସାଂଗରେ ଜୀବିକା ମାଡ
କି ରଜ ପାଳିବ ଭାଙ୍ଗିଛି ହାଡ ।
ଗଣ ପର୍ବ ଏବେ ଗଣୁଛି ବସି
କେତେ ଖସୁଛନ୍ତି ଚାଳିଶି ଅଶି ।
ରଜ ଏବେ ଆଉ ହେଉନି ସଜ
ଘରେ ଘରେ ଏବେ କରୋନା ବୋଝ ।
ସାରା ରାଇଜରେ ପଡିଛି ଡକା
ରଜ ସଜ ଏବେ ପଡିଛି ଫିକା ।
