ରିମଝିମ ବର୍ଷା ରାଣୀ
ରିମଝିମ ବର୍ଷା ରାଣୀ
ରିମଝିମ ବର୍ଷା ଭିଜା ମାଟି ବାସ୍ନା
ପୁଲକିତ ମନପ୍ରାଣ ,
ବରଷା ପ୍ରେମରେ ଜନମନ ଜାଗେ
ରୋପିବାକୁ ସ୍ମୃତିଭୃଣ !!
ଅମୃତ ବାରିଧି ବରଷା'ମା' ପ୍ରୀତି
ସୁଶୀତଳ ମଧୁନୀର ,
ପୃଥିବୀ ବକ୍ଷରେ ଢାଳେ ଶରଧାରେ
ସମର୍ପଣେ ନିରନ୍ତର ! !
ସାଗର ହେଉକି ଅବା ବେଳାଭୂମି
ସବୁଠି ବରଷା ଛିଟା ,
ସ୍ମୃତିର ଝଲକ ବରଷାର କୁହୁକ
ବୋଳିଦିଏ ପ୍ରେମଅଠା ! !
ବରଷାରେ ଭିଜି ପ୍ରେମକରେ ପ୍ରେମୀ
ନିଆରା ଏ' ଅନୁଭୂତି ,
ଭିଜାଦେହ ବାସ୍ନା ପ୍ରେମ ଭାବପନ୍ନା
ଅଲିଭା ସ୍ଵାକ୍ଷର ସ୍ମୃତି ! !
ପ୍ରେମର କହାଣୀ ରଚେ ବର୍ଷା ରାଣୀ
ହୃଦୟର କଥାକହି ,
କୋମଳ ପରଶେ ଦେହ ମନ ଛୁଁଏ
ସାତସୁରେ ଗୀତଗାଇ ! !
ଭିଜାଭିଜା ଦେହ ଭିଜାଭିଜା ସ୍ଵପ୍ନ
ନିବିଡ ସମ୍ପର୍କ ଭାଵ ,
ପ୍ରେମର ଏ'ଛବି ବରଷାର କୃତି
ଭୁଲିବାଟା ଅସମ୍ଭବ ! !
ଶ୍ରାବଣୀ ସୁହାନି ବରଷାର ସାଥୀ
ପ୍ରେମକରେ ଉଜ୍ଜୀବିତ ,
ଧରିତ୍ରୀ ମା'କୋଳେ ଦିବାନିଶି ହସେ
ସରାଗରେ ହୋଇ ପ୍ରୀତ ! !
ଇନ୍ଦ୍ରଙ୍କ ଇନ୍ଦ୍ରାଣୀ ବରଷା ଦୁଲଣୀ
ସରଗ ରାଇଜ କନ୍ୟା ,
ମର୍ତ୍ତ୍ୟପୁରେ ଆସି ହୁଏ ପରବାସୀ
ସୃଷ୍ଟିକରେ ପ୍ରେମବନ୍ୟା ! !
ପ୍ରେମର ପ୍ରେମିକା ରିମଝିମ ବର୍ଷା
ହୃଦୟର ସ୍ମୃତିସାଥୀ ,
ଋତୁରାଣୀ ପ୍ରିୟା ପ୍ରେମରେ'ତୁ ଶ୍ରେଷ୍ଠା
କବି ଲେଖନୀର କୃତି ! !

