ରେଖାଚିତ୍ର
ରେଖାଚିତ୍ର
ଏମିତି ବି ହୋଇପାରେ
ତୁମେ କେବେ ଆସିପାର ନେପଥ୍ୟରୁ
କାରୁଣ୍ୟକୁ ମୁଣ୍ଡରେ ମୁଣ୍ଡେଇ
ଜଳି ଜଳି ଯାଉଥିବା
ପାହାଡର ପ୍ରତିବିମ୍ବ ସାଜି,
ଉପେକ୍ଷିତ ଜୀବନର ଓଁକାରରେ
କରିବାକୁ 'ସ୍ନାନ','ମହାସ୍ନାନ' ।
ନିଃଶବ୍ଦରେ ହସୁଥିବା
ସ୍ତର ସ୍ତର ଧୂଳିର ଗନ୍ଧରୁ
ସ୍ବପ୍ନଭିଜା ନିଃସର୍ତ୍ତ ମୁହୂର୍ତ୍ତ ଖୋଜେ
'ଅନୁଭବ' ଅବର୍ତ୍ତମାନରେ,
ପାପୁଲିଏ ମୋହରୁ ବଞ୍ଚିତ ହୁଏ
ଚତୁର୍ଥ ପ୍ରହର -
ଅଦୃଶ୍ୟ ଆତ୍ମଜା ସାଥେ ବଞ୍ଚିବାକୁ
ହାତପାତେ କଳ୍ପିତ ଫଗୁଣ ।
ଅପ୍ରାପ୍ତିରେ ପୂର୍ଣ୍ଣତା ବୋଲିତ
ସବୁକିଛି ହଜେଇବା ପାଇଁ ଡରଲାଗେ
ଜହ୍ନରାତି,ଫୁଲ ଆଉ ମାଆର ପଣତ,
ଅବଶିଷ୍ଟ ଅନ୍ଧାରର
ନିଛାଟିଆ ପଣରୁ ଏଲିଜି,
ମୁଠା ମୁଠା ମାୟାର ମହକେ
ଖାଲି ଯାହା ଉଙ୍କିମାରେ
ଖାଁ ଖାଁ ଭାବ -
ଆଉ ଯେତେ ଦିଗନ୍ତର ସ୍ମୃତି ।
ମାୟାବୀ ମେଘରୁ ଡେଇଁ
ବାହୁଡା ଚଢ଼େଇ ଯେବେ ଗାଏ
ଚଇତାଳି ନିଆଁର ସଞ୍ଜରେ -
ବୈଧବ୍ୟର ଆତୁର ଆଖିରୁ ଟାଣି
ରୃତୁମତୀ କନ୍ୟାର ବିଷାଦ,
ବିରହୀ ଯକ୍ଷର ଗନ୍ଧେ
ଲିଭିଯାଏ ଘାଟର ଠିକଣା,
ପଣାଙ୍ଗନା କୁଟୀରରୁ
ଶୁଭେ କୋଳାହଳ
କେଉଁ ଏକ ମହାନିଦ୍ରା ଶେଷେ ।
ଭିକ୍ଷୁକର ସ୍ବପ୍ନପରି
ଏଠି ସବୁ ଚିହ୍ନିବାର ବେଳ ଲାଗେ
ଅଚିହ୍ନା ଅଚିହ୍ନା -
ଅହଙ୍କାରୀ ଅକ୍ଷର ଫାଙ୍କରେ ତୋଳି
ଶୂନ୍ୟରୁ ପରିଧି ;
ମୃତ ପ୍ରତିବିମ୍ବ ତଳେ ମନ୍ତ୍ର ପଢେ
ନିଛାଟିଆ ମଶାଣୀର ଅପନୀତ ଶବ,
'ଅନ୍ଧାର' ଓ 'ଶୂନ୍ୟତା'ର ମଝାମଝି
ଠିଆହୁଏ ଏକାକୀ 'ଯନ୍ତ୍ରଣା'
ଚେତନାର ଦୂରନ୍ତ ଆହ୍ୱାନେ
କରିବାକୁ ରେଖାଚିତ୍ର ସମୁଦ୍ର ଉହାଡ଼େ ।