ରେ ମଣିଷ
ରେ ମଣିଷ
କେଡେ ସ୍ଵାର୍ଥପର ତୁହିରେ ମଣିଷ
କେଡେ ସ୍ଵାର୍ଥପର ତୁହି
ନିଜ ସ୍ଵାର୍ଥ ଘେନି କର୍ମ ତୁ କରଇ
ନ ଦିଶଇ ନିଜ ପତନ ତହିଁ
ସର୍ବ ହିତେ ଯେବେ କର୍ମ ତୁହି କରୁ
ନ ରଖିବୁ ତହିଁ ସ୍ଵାର୍ଥ,
ସୃଷ୍ଟି ଶ୍ରେଷ୍ଠେ ବୋଲାଉଥିବା ତୋ ଜୀବନ
ଅକାରଣେ ଯିବ ବ୍ୟର୍ଥ। (୧)
କେଡେ ଅହଂକାରୀ ତୁହିରେ ମଣିଷ
କେଡେ ଅହଂକାରୀ ତୁହି
ବିଜ୍ଞ ହୋଇ ସୁଦ୍ଧା ସମ୍ମାନ ନ ଲଭଇ
ହୃଦେ ଯେ ଅହଂ ଭାବ ରଖଇ
ଅହଂ ଜ୍ବାଳାରେ ପ୍ରାଣ ହୋଇବ ପାଉଁଶ
ଅଟେ ସେ ଗରଳ ସମ,
ଅପରକୁ ନିନ୍ଦି ଜୀବନ ବିତିବ
ସମାଧିସ୍ଥ ହେବ ତ ମାନବ ଧର୍ମ। (୨)
କେଡେ ଅମାନବ ତୁହିରେ ମଣିଷ
କେଡେ ଅମାନବ ତୁହି
ମାନବ,ମାଧବ ସମ ତୁ ବୋଲାଉ ଜଗତେ
ମାନବତ୍ବ ଟିକେ ନାହିଁ।
ପରିଚୟେ ଗୁଣ ଏହି ଯେ ଶ୍ରେଷ୍ଠ
ଏ କଥାଟିକୁ ତୁ ହେଜ
ସର୍ବ ଝଡେ ଯେ ସାହା ତୋ ସାଜିବ
ଥରେ ସେହି ହରି ନାମ ଭଜ। (୩)
କେଡେ ଅବିଶ୍ଵାସୀ ତୁହିରେ ମଣିଷ
କେଡେ ଅବିଶ୍ଵାସୀ ତୁହି
ବିଶ୍ଵାସ ନା'ରେ ବିଷ ତୁ ସଞ୍ଚାରୁ
ଏ ଧର୍ମ ତୋତେ ସହିବ କାହିଁ।
ଅପରକୁ ଖାଲି କରୁଥାଉ ନିନ୍ଦା
ନ ଦିଶଇ ନିଜ ଦୋଷ
ଅଜଣାତେ ନାମେ ତ ସଂଜ୍ଞା ଯୋଡୁ
କହିବେ ମଣିଷ ତୁ ଅବିଶ୍ଵାସ। (୪)
କେଡେ ଆତ୍ମଗର୍ବୀ ତୁହିରେ ମଣିଷ
କେଡେ ଆତ୍ମଗର୍ବୀ ତୁହି
ପର ହୃଦେ ଅସରା ଦୁଃଖ ଦେଇ
ଆତ୍ମସନ୍ତୋଷ ତୁ କି ଲଭଇ?
ପର ମନ୍ଦ ସଦା ଚିନ୍ତୁଥାଉ ମନେ
ନିଜକୁ ସ୍ଥାପିବା ପାଇଁ ଉଚ୍ଚେ
ତୁ କି ଗଣା ହେବୁ ସେଇ ଜ୍ଞାନୀଗଣେ
ଯେବେ ତୋ ଭାବନା ହୋଇବ ନୀଚ। (୫)
କେଡେ ନିର୍ଦ୍ଦୟ ତୁହିରେ ମଣିଷ
କେଡେ ନିର୍ଦ୍ଦୟ ତୁହି
ରଖିଛୁ ହୃଦୟଟି ବିଶାଳ , ଯହିଁ
ଅପରକୁ ତିଳେ ଦୟା ନାହିଁ।
ଧନ ଦଉଲତ ଲୋଡା କି ହୋଇବ
ଯେବେ ଜୀବେ ଦୟା ଗୁଣ ନାହିଁ,
ଏକା ଜଳିବ ତୋ ପୁଙ୍ଗୁଳା ଶରୀର
ସାଥେ କନା ଖଣ୍ଡେ ଯିବ ନାହିଁ। (୬)
କେଡେ କାମାତୁର ତୁହିରେ ମଣିଷ
କେଡେ କାମାତୁର ତୁହି
ତନୁ ଭକ୍ଷଣେ ନିଶାସକ୍ତ ସାଜି
ଦେହେ ଲୀନ ଆତ୍ମାକୁ ବି ନ ଚିହ୍ନଇ?
ନରକେ ନିବସିବୁ, କଷଣ ସହିବୁ
ନାରୀ କୋପ କଲେ ଜାଣ,
ନାରାୟଣୀ ଭାବି ତାକୁ ସମ୍ମାନିବୁ
ସରଗେ ଲଭିବୁ ସ୍ଥାନ। (୭ )
ଅନିରୁଦ୍ଧ ସାମନ୍ତରା
କଲ୍ୟାଣ ସିଂହପୁର
