ରବି ଆଗମନେ
ରବି ଆଗମନେ
ରବି ଆଗମନେ ହୃଦମୋହିତ
ପ୍ରଫୁଲିତ ସାରା ସଂସାର
ପ୍ରାତଃ କାଳେ ପ୍ରିୟତମା ସନ୍ଧାନେ
ଖୋଜି ବୁଲେ ଗହନେ ନୀର ।
ଶିଶିର ବିନ୍ଦୁ ତନୁଶ୍ରୀ ପରଶ
ଶିହରଣେ ଉଦଭାସିତ
ପ୍ରେମ ଢେଉ ରେ ଭାସେ ହୃଦ ଡ଼ଙ୍ଗା
ରୂପେଲି ଇଂଗିତେ ଚାଳିତ ।
ଲଳିତ କଣ୍ଠେ ଡାକେ ପ୍ରିୟତମା
ଆସ ମଧୁବନେ ରୁପସୀ
ମରୁଭୂମି ରେ ବରଷା ସାଜି ଗୋ
ବରଷି ଦିଅ ତୁମେ ଆସି ।
ସାତରଙ୍ଗ ଲେପ ମୁଁ ରଙ୍ଗହୀନ
ତୁମରି ବିରହ ଲଗନେ
ଇଙ୍ଗୁଦି ଦୀପ ଆଜିବି ଜଳୁଛି
ଜଳୁଥିବ ମନ ଗହନେ ।
ମରୁଭୂମି ହୃଦେ ତୁମ ପରଶ
ଆସେ ରଂଗୀନ ଭାବଧାରା
ନିର୍ଜନ ଅନ୍ତରେ ତୋ ମୁଖ ଧ୍ବନି
ନାଚି ଉଠେ ତପନ ତାରା ।
ଝରାଶେଫାଳି ପୂର୍ଣ୍ଣଶଶୀ ତୁମେ
ତୁମେ ଶ୍ରାବଣ ଜଳ ବିନ୍ଦୁ
ସପନ ସାଗର ନାୟକ ମୁହିଁ
ବିରହ ନୀର ପ୍ରେମ ସିନ୍ଧୁ ।
ଗୋଲାପ ଭଳି ବାସଇ ରୁପସୀ
ଚାହାଣି ଝାରେ ମୁକୁତା
ଓଷ୍ଟରୁ ଝଡ଼ଇ ପ୍ରୀତି ପାଖୁଡା
ଜୋସ୍ନା କହେ ତୋ ସୁନ୍ଦରତା ।
ନୁପୁର ସ୍ଵନ ତୋର ଆଗମନେ
ତରଙ୍ଗେ ଡୁବେ ମୋ ସ୍ପନ୍ଦନ
ହୃଦୟ ନଇ ମୁହୂର୍ତ୍ତେ ଶୁଖଇ
ତନୁରେ ଆସେ ଶିହରଣ ।
ପ୍ରଳୟ ଆଳାପ ଆସଇ ଓଠେ
ଗୁନ୍ଥିଥାଏ ମଧୁଲଗନେ
ସବୁଜିମା ଭରା ପ୍ରୀତି ଫଗୁଣେ
ଫେରି ଆସ ମଧୁଗହନେ ।