ରାକ୍ଷୀପୂର୍ଣ୍ଣିମା
ରାକ୍ଷୀପୂର୍ଣ୍ଣିମା
ଶ୍ରୀମନ୍ଦିରେ ଶ୍ରାବଣ ପୂର୍ଣ୍ଣିମା ଭିନ୍ନ ରୂପରେ ପାଳନ
ବଳଭଦ୍ର ଜନ୍ମ,ଗହ୍ମାପୂର୍ଣ୍ଣିମା,ଝୁଲଣ ପୂର୍ଣ୍ଣିମା ବିଧାନ
ତନ୍ମଧ୍ୟରୁ ରାକ୍ଷୀପୂର୍ଣ୍ଣିମା ନାମରେ ଅଛି ଆକର୍ଷଣ
ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବା ବିଧି ହେଉଛି ପାଳନ
ଦେବୀ-ସୁଭଦ୍ରା ବାନ୍ଧୁଛି ରାକ୍ଷୀ ଭାଇଙ୍କ ହାତରେ
ଜଗା ବଳିଆ ଭାଇଙ୍କୁ ସୁରକ୍ଷା ପାଇଁ ଅଳି କରେ।
ଭଉଣୀ ହାତରେ ଅଛି ରାକ୍ଷୀର ରେଶମୀ ସୂତା
ରେଶମୀ ସୂତାରେ ଲୁଚି ରହିଛି ସୁରକ୍ଷାର ବାର୍ତ୍ତା
ଭାଇ ଭଉଣୀ ର ସ୍ନେହ,ଶ୍ରଦ୍ଧା ଓ ଆନ୍ତରିକତା
ଅମୂଲ୍ୟ ରତ୍ନ ସମ ରାକ୍ଷୀ ରେ ଲୁଚିଛି ସେ ବାର୍ତ୍ତା।
ସୃଷ୍ଟି ଆରମ୍ଭରୁ ପ୍ରେମର ବନ୍ଧନ ସମ୍ପୂର୍ଣ୍ଣ ଅନନ୍ୟ
ରାକ୍ଷୀ ଏକ ମାଧ୍ୟମ,ଯେଉଁଠି ଭାଇଭଉଣୀ ମିଳନ
ଭଉଣୀର ନାକ ଫୁଲା ରାଗ ନାହିଁ,ନାହିଁ ରଜ ତମ
କେବଳ ରହିଛି ସତ୍ଵ,ସତ୍ଵ ହିଁ କରୁଅଛି କାମ
ରକ୍ଷା ର ସୁତ୍ର ସ୍ୱରୂପ ଭାଇ ହାତରେ ରାକ୍ଷୀ ରହିବ
ଭାଇ ହୃଦୟରେ ଭଉଣୀର ରକ୍ଷା ଭାବ ଜାତ ହେବ
ରକ୍ଷା-ଭାବନା ରହିଲେ ଭଉଣୀ ସୁରକ୍ଷିତ ହେବ
ବଞ୍ଚିଥିଲା ଯାଏଁ ଭାଇ,ଭଉଣୀର ରକ୍ଷା କରୁଥିବ।
ରାକ୍ଷୀ ହିଁ ମାଧ୍ୟମ,ଭାଇଭଉଣୀ ପରଷ୍ପର ର ବିଶ୍ୱାସ
ଭାଇ ବାହୁବଳୀ ସୁରକ୍ଷା କବଚ ଭଉଣୀର ପ୍ରୟାସ
ଭଉଣୀ ଜାଣିଛି ସେଇ ରାକ୍ଷୀ ର ଗୁପତ ବାରତା
ଭାଇର ଦୀର୍ଘ ଜୀବନ ମନାସି ବାନ୍ଧିବ ରକ୍ଷା-ସୂତା
ରାକ୍ଷୀ ବାନ୍ଧିବା ମହତ୍ତ୍ଵ କହୁଛି, ଶୁଣ ସଭିଏଁ ଭାଇ
ଆଗକୁ ଦେଶ ମାତୃକାର ସେବା କରୁ ନିଜ ଭାଇ
ସୁରକ୍ଷା ବାର୍ତ୍ତା ରହିଛି, ରେଶମୀ ସୁତା ରାକ୍ଷୀ ରେ
ନାରୀ ମାନଙ୍କୁ ସମ୍ମାନ-ସୁରକ୍ଷା ରହୁ ଏ ସମାଜରେ
ଧର୍ମ ଜାତି ନିର୍ବିଶେଷରେ ରାକ୍ଷୀ ଦେଉ ଅଛି ବାର୍ତ୍ତା
ବାହୁବଳୀ-କବଚ ହୁଅ ଭାଇ,ଭଉଣୀର ହର୍ତା-କର୍ତ୍ତା
ଭଉଣୀ ର ସୁରକ୍ଷା ପାଇଁ ରାକ୍ଷୀ ମୁକ ସାକ୍ଷୀ
ଭାଇ ର କର୍ତ୍ତବ୍ୟ, ଭଉଣୀ ପ୍ରତି ରଖିବାକୁ ଆଖି।
ପବିତ୍ର ରକ୍ଷା ବନ୍ଧନ ଉତ୍ସବ ହେଉଛି ପାଳନ
ଭଉଣୀ ଚାହୁଁଛି ରାକ୍ଷୀ ହେଉ ସାକ୍ଷୀ ଓ ଅମ୍ଳାନ
ସାମ୍ପ୍ରତିକ ପରିସ୍ଥିତି ଦେଖି ଭଉଣୀ ବ୍ୟଥିତ
ଭାଇ କୁ ନିଜର ଭାବନା କରୁଅଛି ବ୍ୟକ୍ତ।
ହେ ଭାଇ, ଏ ଭଉଣୀ ର ଏକ ନିବେଦନ
ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ସହ କର ପଣ
ରାଜ ରାସ୍ତାରେ ଭଉଣୀ ପାଉଛି କଷଣ
ପାପୀ ମାନେ ଖୋଲା ଖୋଲି କରନ୍ତି ଧର୍ଷଣ
ଦୁଷ୍କର୍ମ ଆଖ୍ୟା ଦେଇ ହୁଏ ଖବର ପ୍ରସାରଣ
ପ୍ରତି ମୁହୂର୍ତ୍ତରେ ଜନ୍ମ ହେଉଛି ରାବଣ
ସୀତା ଆଜିକାଲି ଅନାୟାସ ରେ ହେଉଛି ହରଣ
ଅପହରଣ ପଛରେ କିଛି ବି ନ ଥାଏ କାରଣ
ରାବଣ ରାଜୁତି,ବିନା କାରଣ ରେ ହେଉଛି ହରଣ।
ହେ ଭାଇ,ଗୋଟିଏ ମାର ଆମେ ସନ୍ତାନ
ଭାରତ ମାତା ଆମ ମା,ଆମେ ସଭିଏଁ ସନ୍ତାନ
ଏକାକୀ ଯାଉଥିବା ମା ଭଉଣୀ ଓ ଝିଅ ବି ସନ୍ତାନ
ଅସହାୟ ଅବସ୍ଥାରେ ଯଦି କେହି କରେ ନିବେଦନ
ପ୍ରାଣ ଦେଇ ରକ୍ଷା କରିବାକୁ କର ତୁମେ ପଣ
ଅକାଳରେ ନ ଯାଉ ଏକ ନିରୀହ ଜୀବନ
କିଏ ବା ପରୀ,ବାପା ଚାହିଁଥିବ ଫେରିବାର କ୍ଷଣ
କିଏ ବା ସାଥୀ,ସ୍ବାମୀ ଦେଖୁଥିବ ଫେରିବାର କ୍ଷଣ
କିଏ ମା, ପିଲାଏ ଭାବୁଥିବେ ମା ଆସିବ ଏକ୍ଷଣ
ଜାଣି ହେଉନି, ଫେରୁଛି ଶରୀର ରହୁନାହିଁ ପ୍ରାଣ।
ହେ ଭାଇ, ମୁଁ ଯେମିତି,ଅନ୍ୟ ମାନେ ବି ଭଉଣୀ
ଭଉଣୀ ନଜରରେ ଦେଖ ,ପ୍ରତ୍ୟେକ ତରୁଣୀ
ଏ ରାକ୍ଷୀ ବାନ୍ଧିବା ପୂର୍ବରୁ କରୁଛି ଦୟିନୀ
ଦେଶ ମାତୃକାର ସ୍ୱର ହେଉ ତୁମ ପ୍ରତିଧ୍ୱନୀ
ଦିନ ଦ୍ବିପହରରେ ନାରୀ ର ଦୁଷ୍କର୍ମ କାହାଣୀ
ଆଛା ଦିନ ଆସିବ ଆସିବ ବୋଲି ଫମ୍ପା ଭାଳେଣି
ଆପଣ ମାନେ ଖୁସୀ ତ! ପଚାରି ଘରେ ହିଁ ତୁନୀ
ସେଇ କଥା କୁହାଳିଆ ଭାଇଙ୍କୁ ବି ଏକ ନିବେଦନ
ଭାରତ ମାତା କାନ୍ଦୁଛି ଶୁଣ ଦେଇ ମନ ଧ୍ୟାନ
ନାରୀ ସୁରକ୍ଷିତ ରହିଲେ ଦେଶର ସମ୍ମାନ
ଘରେ ଘରେ ତ୍ରିରଙ୍ଗା ଖୋଷିଲେ କିଛି ବି ହେବନି
ଲୁଟି ଯାଇଥିବା ଇଜ୍ଜତ ଓ ଜୀବନ ଫେରି ଆସିବନି
ହେ ଭାଇ,ଏଇ ରାକ୍ଷୀ ହେଉ ସାକ୍ଷୀ ଚିରଦିନ
ସ୍ବାଧିନତା ର ଆଢ଼ୁଆଳେ ନ ହେଉ ନାରୀ ଧର୍ଷଣ
ନାରୀ ଜାତିକୁ ସମାଜରେ ମିଳୁ ମାନ ସନମାନ
ପ୍ରତି ପୁରୁଷ ପାଇଁ ନାରୀ ହେଉ ପ୍ରେମର ଆକର୍ଷଣ
ସବୁ ଘର ଭାଇ ,ଅନ୍ୟର ଭଉଣୀକୁ ଦେଉ ସମ୍ମାନ
ପ୍ରତି ଭଉଣୀ,ରାକ୍ଷୀ ବାନ୍ଧିବା ବେଳେ ରଖ ଏ ପଣ।
ହେ ଭାଇ,ତୁମ ପରି ଭାଇ ମୋ ସୁରକ୍ଷା କବଚ
ବାହୁବଳୀ ଭାଇର ମନ ଓ ଭାଵନା ହେଉ ସ୍ୱଚ୍ଛ
ଭାଇ ଭଉଣୀ ପବିତ୍ର ସମ୍ପର୍କେ, ରାକ୍ଷୀ ସାକ୍ଷୀ ରହୁ
ରକ୍ଷା ବନ୍ଧନ ଉତ୍ସବ ହସ ଉଲ୍ଲାସ ରେ ଚାଲୁ ଥାଉ
ତୁମ ସୁରକ୍ଷା-ପ୍ରତିଶୃତି ହିଁ ଭଉଣୀର ବଡ ଉପହାର
ରାକ୍ଷୀପୂର୍ଣ୍ଣିମା ହେଉ ପୁରପଲ୍ଲୀରେ ଉତ୍ସବ ମୁଖର।
