ରାକ୍ଷୀ ଭିଜିଗଲା ଆଖି ଲୁହରେ
ରାକ୍ଷୀ ଭିଜିଗଲା ଆଖି ଲୁହରେ
ମନେ ଥିଲା ଆଶା ହୋଇଲି ନିରାଶା
ବାନ୍ଧି ପାରିଲିନି ରାକ୍ଷୀ
ଅବୁଝା ଏ ମନ ବୁଝେନାହିଁ ଜମା
ଛଳ ଛଳ ହୁଏ ଆଖି।
ତୁମଠାରୁ ଭାଇ ରହିଲି ଦୂରରେ
ଆପଣା ସଂସାର ପାଇଁ
ରକ୍ତଠାରୁ ରକ୍ତ ଅଲଗା କରିଲ
କର୍ତ୍ତବ୍ୟର ଦ୍ୱାହି ଦେଇ।
କେମିତି ଭୁଲିବି ମୋର ସେ ଅତୀତ
ଦୁହିଁଙ୍କର ସ୍ନେହ ପ୍ରେମ
ମୋର ଖୁସି ପାଇଁ ସବୁକିଛି ଦେଇ
ଥିଲା ତୁମ ମନ ପ୍ରାଣ।
ଝୁରୁଛି ଏ ମନ କାନ୍ଦୁଛି ମୋ ପ୍ରାଣ
ଆଜିର ରାକ୍ଷୀ ଦିନରେ
ଦୂରେ ଥାଇ ମୁହିଁ ବାନ୍ଧି ନ ପାରଇ
ରାକ୍ଷୀ ଯେ ତୁମ ହାତରେ।
ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧି ହାତେ
ହୋଇଵ ଆନନ୍ଦ ମନ
ହେଲେ ମୋର ଆଶା ଆଶାରେ ରହିଲା
ଭାଙ୍ଗିଗଲା ମୋର ସ୍ୱପ୍ନ।
କିନ୍ତୁ ଭୁଲି ନାହିଁ ତୁମ୍ଭମାନଙ୍କୁ ମୁଁ
ଝୁରୁଛି ଏଠାରେ ରହି
ପରିସ୍ଥିତି ମୋର ବାଧକ ସାଜିଲା
ଭାଗ୍ୟକୁ ଯେ ଦୋଷ ଦେଇ।
ସୁରକ୍ଷା କବଚ ଥିଲ ମୋହ ପାଇଁ
ପାଶରେ ମୋ ଛାଇ ହୋଇ
ଭୁଲିବନି କେବେ ଏ ଭଉଣୀକୁ ତୁମେ
ଅଭାଗିନୀ ବୋଲି କହି।
ତୁମ କଥା ଭାବି ହାତେ ରଖି ରାକ୍ଷୀ
ଦେଖୁଛି ମୁଁ ବାରମ୍ବାର
ରାକ୍ଷୀ ଭିଜିଯାଏ ଆଖିର ଲୁହରେ
ଵହଇ ଲୋତକ ଧାର।
ଜଗା ବଳିଆ ମୋ ତୁମ ପରି ଭାଇ
ଅଛି କେହି ଦୁନିଆରେ
ମାଆଙ୍କ କୃପାରୁ ଭଲରେ ଯେ ଥାଅ
ଥିଲେ ପଛେ ଯେତେ ଦୂରେ ।
