ରାଧା-ଧାରା
ରାଧା-ଧାରା
ସଖା !
ରାଧାନାମେ ତୁମ ବଂଶୀଧ୍ୱନୀ ଶୁଣି
ମୁଁ ବିଗଳିତ ହୋଇଯାଏ ବାରମ୍ବାର
ବଜାଅ ସଖା ବଜାଅ !
ତୁମ ମୋହନବଂଶୀ ବାଜିଉଠୁ ମୋର ପ୍ରାଣ-ବୃନ୍ଦାବନେ ।
ସ୍ତବ୍ଧ ହେବାକୁ ଦିଅନା ଏ ମୁରଲୀସ୍ଵନ
ମୁଁ ପୂର୍ଣ୍ଣ ରୂପରେ ତରଳି ନ ଗଲା ଯାଏଁ..
ତୁମ ବେଣୁସ୍ଵନରେ ତରଳିଯାଉ ମୋର ଏ ପାଷାଣ ହୃଦୟ ।
ବିଗଳିତ ହେଉ ମୋର ଆତ୍ମା, ଦେହ ଆଉ ମନ ।
ମୁଁ ସମ୍ପୂର୍ଣ୍ଣ ତରଳି ଯାଇ ଜଳ-ଧାରାଟିଏ ହୋଇଯାଏ,
ସେଇ ଜଳରେ ମୁଁ ଧୋଇ ଦେଉଥାଏ ତୁମ ପଦ୍ମପାଦ ।
ରାଧା ଧାରାରେ ତୁମେ ସୃଷ୍ଟି କରୁଥାଅ ଅସଂଖ୍ୟ ରାଗ-ରାଗିଣୀ
ତୁମ ବଂଶୀସୁରରେ ଝଂକୃତ ହେଉଥାଏ ରାଧା, ରାଧା,
ରାଧା
ସେଇ ଅପୂର୍ବ ବଂଶୀସୁରେ
ମୁଁ ପୂର୍ଣ୍ଣ ବିଗଳିତ କ୍ଷୁଦ୍ର ଜଳଧାରଟିଏ ହୋଇଯାଏ !
ମୋ ଜୀବନ ରୂପୀ ଜଳଧାରା ପୁଣି ମିଶିଯାଉ
ତୁମର ସେ ପବିତ୍ର ରାଧା ଧାରାରେ
"ରାଧା" ଶବ୍ଦକୁ ଓଲଟେଇଲେ ଧାରା ।
ଏଇ ରାଧା ଧାରାରେ ଯୁଗେ ତୁମେ ଧରାଦିଅ
ଧରାଧାମରେ ତୁମେ ଓହ୍ଲେଇ ଆସ ରାଧା-ଧାରାରେ,
ପୁଣି ଗୋଲକ-ବୃନ୍ଦାବନକୁ ପ୍ରସ୍ଥାନ କର
ଏଇ ରାଧା-ଧାରାରେ ।
ସେଇ ଧାରାରେ ମୁଁ ମିଶିଯିବାକୁ ଚାହେଁ ସଖା।
ଏଇ ରାଧା ଧାରାରେ-
ପ୍ରତିଟି ଯୁଗରେ ତୁମେ ଧରାଧାମକୁ ଆଗମନ କଲେ,
ତୁମ ସାଙ୍ଗରେ ମୁଁ ଆସୁଥିବି..
ଆଉ, ଆତ୍ମ ବିଭୋର ହୋଇ ଉପଭୋଗ କରୁଥିବି
ତୁମର ଅମୃତମୟ ଲୀଳା-ମାଧୂରୀକୁ ।
ସଖା !
ତୁମେ ଯେ ମହାସିନ୍ଧୁ ।
ରାଧା-ଧାରାରେ ତରଙ୍ଗମାନ
ତୁମ ବକ୍ଷରେ ଦୋଳି ଖେଳୁଥାଏ ।
ସେଇ ମହାସିନ୍ଧୁର ତରଙ୍ଗମାଳାରେ
ମୋତେ କରିଦିଅ ଫେନିଳ ବିନ୍ଦୁଟିଏ ମାତ୍ର।
ବିନ୍ଦୁଟିଏ ହୋଇ ଭକ୍ତିରସାମୃତସିନ୍ଧୁରେ-
ରାଧା ଭାଵରେ ଭାବିତ ହୋଇଯିବି ମୁଁ...
ଆଉ,
କୃଷ୍ଣପ୍ରେମ ମହାରାସର ରସକୁ
ନିତ୍ୟ ଆସ୍ୱାଦନ କରୁଥବି-
ଚିରନ୍ତନୀ ରାଧା-ଧାରାରେ ।