Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Ketan Sahu

Inspirational

4  

Bijaya Ketan Sahu

Inspirational

ଚିଠି ମୋ ମହାପ୍ରଭୁଙ୍କୁ

ଚିଠି ମୋ ମହାପ୍ରଭୁଙ୍କୁ

1 min
234


ମାନନୀୟ ଜଗନ୍ନାଥ ଗୋସାଇଁ ।

ପ୍ରଣାମ କରୁଛି ମୁଣ୍ଡ ନୁଆଇଁ ।।

ବଡ଼ଭାଇଙ୍କୁ ଯେ ପ୍ରଣାମ ମୋର ।

ସୁଭଦ୍ରା ଭଗିନୀ ପାଦେ ଜୁହାର ।।

ମୋର ମାତା ମହାଲକ୍ଷ୍ମୀ ପୟରେ ।

ଜଣାଇଦେବ ମୋ ପ୍ରଣତି ବାରେ ।।

ଆଶାକରେ ଥିବ କୁଶଳେ ରହି ।

ତୁମ୍ଭରି ଦୟାରୁ କୁଶଳ ମୁହିଁ ।।

କରିଛ କରୁଣା ହେ ମହାପ୍ରଭୁ ।

ତୁମ ଆଶିଷେ ମୋ ମଙ୍ଗଳ ସବୁ ।।

ତଥାପି ଛାତିରେ ଅଛି ଶୂନ୍ୟତା ।

ତୁମ ବିନା ପ୍ରଭୁ ନାହିଁ ପୂର୍ଣ୍ଣତା ।।

ଆଖିର ଲୁହରେ ଲେଖୁଛି ଚିଠି ।

ପଢ଼ିବ ଏ ପତ୍ର ହେ କୃପାନିଧି ।।

ଲେଖିବା କାରଣ ଅଟଇ ଏହି ।

ବିରହ ତୁମର ନପାରେ ସହି  ।।

ଖଣ୍ଡଶୀଳା ଯେହ୍ନେ ପଡ଼ିଛି ଦୁରେ ।

ଲାଗେନାହିଁ ମନ ମୋ କେଉଁଥିରେ ।।

କେବେ ଲାଗିବ ଯେ ତୁମରି ଡୋରି ?

ଇଚ୍ଛାହୁଏ ଯିବି ଶ୍ରୀକ୍ଷେତ୍ର-ପୁରୀ ।।

ପରମଶାନ୍ତି ଯେ ତୁମ୍ଭ ଚରଣେ ।

ନ'ପକାଅ ମୋତେ ଭବ ବନ୍ଧନେ ।।

କରିବି ତୁମ୍ଭ ଶ୍ରୀମୁଖ ଦର୍ଶନ ।

ସାର୍ଥକ ହୋଇବ ବେନି ନୟନ ।।

କର୍ଣ୍ଣରେ ଶୁଣିବି ତୁମ୍ଭ ଭଜନ ।

ମୁଖେ କରୁଥିବି ତୁମ୍ଭ କୀର୍ତ୍ତନ ।।

ଆନନ୍ଦେ ନାଚିବି ତୁମ ପ୍ରେମରେ ।

ଗଡୁଥିବି ବଡ଼ଦାଣ୍ଡ ଧୂଳିରେ ।।

ମହାପ୍ରସାଦର ମହକେ ମଜ୍ଜି 

ଭକ୍ତି କୈବଲ୍ୟରେ ଯିବି ମୁଁ ହଜି ।।

ନୟନୁ ନିଗାଡି ଲୋତକଧାର ।

ଧୋଇଦେବି ପ୍ରଭୁ ତୁମ୍ଭ ପୟର ।।

ଜାବୁଡ଼ି ଧରିବି ତୁମ ଚରଣ ।

ପୁଲକିତ ହେବ ମୋ ତନୂମନ ।।

କୁଣ୍ଢାଇ ଧରିବ ମୋତେ ଛାତିରେ ।

ହାରିବି ଅସ୍ତିତ୍ବ ତୁମ ପ୍ରୀତିରେ ।।

ମୋ ଜୀବନବିନ୍ଦୁ ମହାସିନ୍ଧୁରେ ।

ଆତ୍ମା ମିଶିଯାଉ ପରମାତ୍ମାରେ ।।

ସତେ କି ସେ ଭାଗ୍ୟ ହେବ ମୋହର !

ଛନ୍ଦିଦିଏ ମୋତେ ମାୟା ସଂସାର ।।

ମାୟାବନ୍ଧନ ନ ପାରେ ଫିଟାଇ ।

ତେଣୁ ତୁମ କ୍ଷେତ୍ର ପାରେନା ଯାଇ ।।

କରୁଛି ମୀନତି ଆହେ ଶ୍ରୀହରି ।

ଖୋଲିଦିଅ ଏହି ମାୟା ପଞ୍ଜୁରୀ ।।

ଉଡ଼ିଯାଉ ଆତ୍ମାପକ୍ଷୀ ଯେ ମମ ।

ତୁମରି ପବିତ୍ର ନିତ୍ୟ ଶ୍ରୀଧାମ ।।

ଆଉ କେତେ ଦୂର ସେ ନୀଳାଚଳ ?

ଉଚ୍ଛୁର ହେଲାଣି ମୋ ବେଳ-କାଳ ।।

ସ୍ଥାନଦେବ ମୋତେ ତୁମ୍ଭ ଶ୍ରୀପାଦେ ।

ନ କର ନିରାଶା ଶ୍ରୀଜଗନ୍ନାଥେ ।।

ଏ ଦାସ ଉପରେ ତୁମ କରୁଣା ।

କରିବନି ନାଥ କିଞ୍ଚିତେ ଉଣା ।।

ଆଉ କି' ଲେଖିବି ଭାବେନା ପାରି ।

ସମାପ୍ତ କରୁଛି ଚିଠି ମୋହରି ।।

ପତ୍ର ଦେବ ମୋତେ ଏ ପତ୍ର ପାଇ ।

ତୁମ ଅପେକ୍ଷାରେ ରହିଲି ମୁହିଁ  ।।

ଏତିକି ଲେଖୁଛି ହେ ମୋର ପ୍ରିୟ ।

ଇତି, ତୁମ୍ଭରି ମୁଁ ଦାସ "ବିଜୟ" ।।



Rate this content
Log in

Similar oriya poem from Inspirational