ପ୍ରାଣ ହୋଇଯାଉ ରାଧାନାମରେ ବିଲୟ ********
ପ୍ରାଣ ହୋଇଯାଉ ରାଧାନାମରେ ବିଲୟ ********
ରାଧାନାମର ତରଙ୍ଗ ଅନାହତ ନାଦେ ।
ସର୍ବତ୍ର ପୂରିତ ବିଶ୍ୱବ୍ରହ୍ମାଣ୍ଡର ମଧ୍ୟେ ।।
ଶୁଣି କି' ପାରୁଛ ଜୀବ ସେ ନାମ ସ୍ପନ୍ଦନ !
ଭୂମି ଠାରୁ ଭୂମା ସେହି ନାମ କମ୍ପମାନ ।।
ଏଇ ଦେଖ କେତେ ୠଷି ମୁନି ଦେବଗଣ ।
ପ୍ରୀତି-ଉଚ୍ଛ୍ୱାସେ କରନ୍ତି ସେ ନାମ ଗାୟନ ।।
କୀର୍ତ୍ତନ ଆନନ୍ଦେ ସର୍ବେ ନୃତ୍ୟେ ବିଭୋରିତ ।
ପ୍ରେମ-ଅଶ୍ରୁ ଢ଼ାଳି ରାଧାନାମରେ ପ୍ରମତ୍ତ ।।
ଶୁଣ ସେ ମୃଦଙ୍ଗ ଧ୍ଵନୀ ଶଙ୍ଖ କରତାଳ ।
ରାଧାନାମ ମହାମନ୍ତ୍ର ତରଙ୍ଗ ଉତ୍ତାଳ ।।
ସୁମଧୁର ସେହି ନାମ ଶାନ୍ତିର ପୀୟୂଷ ।
ସେ ନାମ ଶ୍ରବଣେ ଭବମାୟା ଯାଏ ନାଶ ।।
ନାହିଁ ଏଠି ଦୁଃଖ ଦୈନ୍ୟ କ୍ଳେଶ ଅବା ତ୍ରାସ ।।
ବିଚ୍ଛୁରିତ ସଦା ଦିବ୍ୟପ୍ରେମର ସୁବାସ ।।
ସେ ପ୍ରେମ-ସୁବାସରେ ଜଗତ ଆମୋଦିତ ।
ରାଧା ରାଧା କହି ସର୍ବେ ପ୍ରେମେ କୋଳାଗ୍ରତ ।।
ନାହିଁ ଏଠି ପାପ, ସର୍ବ ପ୍ରାଣ ପୁଣ୍ୟମୟ ।
ପ୍ରବାହିତ ମଧୁମାଖା ନାମର ଅମୀୟ ।।
ସର୍ବତ୍ର ପବିତ୍ର ରାଧାନାମର ସ୍ଫୁରଣେ ।
ଦଶଦିଶ ପ୍ରକମ୍ପିତ ନାମ-ସଂକୀର୍ତ୍ତନେ ।।
ନାହିଁ ଏଠି ଜରାବ୍ୟାଧି, କାଳର ପ୍ରଭାବ ।
ନାମେ ଲାସ୍ୟମୟ ସର୍ବେ, ମୁଖ ଦିବ୍ୟପ୍ରଭ ।।
ସତ୍ତ୍ଵ, ରଜ, ତମ ଉର୍ଦ୍ଧ୍ଵେ ତ୍ରିଗୁଣ-ଅତୀତ ।
କା'ର ନାହିଁ ମୃତ୍ୟୁ, ପାନ କରି ନାମାମୃତ ।।
ଚଳ ଜୀବ ସେହି ନାମମୟ ଭାବରାଜ୍ୟେ ।
ମୋକ୍ଷ ପ୍ରୀତି-ମନ୍ଦାକିନୀ ସେ ରାଜ୍ୟେ ବିରାଜେ ।।
ସେ ନାମଗଙ୍ଗାରେ ତୁହି ନିତ୍ୟ ହୋଇ ସ୍ନାତ ।
ତନୂ-ମନ ହେଉ ତୋର ବିଭୁପ୍ରେମେ ସିକ୍ତ ।।
ରାଧାନାମେ ପ୍ରାଣତୃଷ୍ଣା ହୁଏ ନିବାରଣ ।
ମହାଚେତନରେ ଆତ୍ମା କରେ ଅଧିଷ୍ଠାନ ।।
ଜାଣିବାକୁ ଆଉ କିଛି ରହେ ନାହିଁ ବାକି ।
କାରଣ-କାରଣ ସ୍ଥରେ ବସେ ପ୍ରାଣପକ୍ଷୀ ।।
ରାଧାନାମ ରାଗିଣୀରେ ଶୁଭେ ବଂଶୀସ୍ଵନ ।
ପ୍ରାଣ-କୁଞ୍ଜବନେ ଦେଖ ସେ ମହାମିଳନ ।।
ମହାରାସ ରଚିଛନ୍ତି ସେ ପରମକୃଷ୍ଣ ।
ନାମେ ଲୟ ହେଲେ ମନ, ପାଇବୁ ଦର୍ଶନ ।।
ଏ ଜୀବନବିନ୍ଦୁ କୃଷ୍ଣପ୍ରେମ-ସିନ୍ଧୁ ନୀରେ ।
ରାଧା ରାଧା ଗାଇ ଲୀନ ହେଉ ଆନନ୍ଦରେ ।।
ପ୍ରେମାଞ୍ଜନ ନେତ୍ରେ ଦେଖ ବିଶ୍ଵ କୃଷ୍ଣମୟ ।
ପ୍ରାଣ ହୋଇଯାଉ ରାଧାନାମରେ ବିଲୟ ।।
