ବ୍ରହ୍ମ ଦର୍ଶନେ ତୋ ନେତ୍ର ହେଉ ଯେ ପବିତ୍ର
ବ୍ରହ୍ମ ଦର୍ଶନେ ତୋ ନେତ୍ର ହେଉ ଯେ ପବିତ୍ର
ଶ୍ରୀମନ୍ଦିର ଗାତ୍ରେ ଖୋଦିତ କେତେ ଚିତ୍ର-ଚରିତ୍ର ।
ଭ୍ରମିତ ହୁଅଇ ଯେବେ ଭ୍ରମଣେ ଯୁଗଳନେତ୍ର ।।
ମଗ୍ନ ଯଦି ତୋର ମନ ନଗ୍ନଚିତ୍ର ସନ୍ଦର୍ଶନେ ।
ମୋହଲିପ୍ତ ହୁଏ ଆତ୍ମା, ପଡ଼େ ମାୟାର ବନ୍ଧନେ ।।
ଚକାଆଖି ଦେଖିବାରେ ଚିତ୍ତ ନୋହିଲେ ତୃଷିତ ।
ନ ମିଳନ୍ତି କୈବଲ୍ୟଦାତା ପ୍ରଭୁ ଶ୍ରୀଜଗନ୍ନାଥ ।। (୧)
ପ୍ରସ୍ତର ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ଶୋଭାମାନ ।
ନିଚିତ ଯୌନ-ପ୍ରତିମା ବିଚଳିତ କରେ ମନ ।।
ପରିଶ୍ରାନ୍ତ ଚିତ୍ତ ଶାନ୍ତ କରେ ତାଙ୍କ ପଦ୍ମନେତ୍ର ।
ସର୍ବ ଆକର୍ଷଣମୟ ମହାପ୍ରଭୁ ଜଗନ୍ନାଥ ।।
ଏ ପାଷାଣଚିତ୍ର ତେଜି ବନ୍ଧୁ ଚଳ ତୁ ତୂରିତ ।
ଦେଉଳ ଗର୍ଭରେ ଦେଖ ପୂର୍ଣ୍ଣବ୍ରହ୍ମ ବିରାଜିତ ।। (୨)
ଦାର୍ଶନିକ ଅନ୍ତଃ-ଦୃଷିକୋଣେ ଥରେ ଭାବି ଦେଖ ।
ବିଚିତ୍ର ଚିତ୍ର-ଚରିତ୍ର ଏହି ସଂସାରେ ଅସଂଖ୍ୟ ।।
ମାୟାବଶେ ବେଶ ହୋଇ ଜୀବ ଭବ-ରଙ୍ଗମଞ୍ଚେ ।
ଭେଳି-ଭେଳିକି ଛଟକେ କେତେ ନାଟକ ଯେ ରଚେ ।।
ନାନା ଚରିତ୍ରେ ସର୍ବେ କରନ୍ତି ଅଭିନୟ ମିଛ ।
ସଂସ୍ପର୍ଶେ ଆସନ୍ତି ସତତ, ଏ ସବୁ କିନ୍ତୁ ତୁଚ୍ଛ ।। (୩)
ଅଶ୍ଳୀଳ ଶିଳା-ପ୍ରତିମା ଯେହ୍ନେ କାମିନୀ ଚରିତ୍ର ।
କାମବାସନାରେ ତୋତେ କେତେ କରିବେ କଦର୍ଥ ।।
ସାର୍ଥକ ପୁରୁଷାର୍ଥ ପୁରୁଷୋତ୍ତମଙ୍କୁ ପ୍ରାପ୍ତିରେ ।
ଲାଭହୁଏ ପରମାର୍ଥ ନିତ୍ୟ ତାଙ୍କରି ଭକ୍ତିରେ ।।
ପ୍ରମତ୍ତ ନ ହୁଅ ମିତ ସଂସାର ଚିତ୍ର-ଚରିତ୍ରେ ।
ପ୍ରାଣଭରି ପ୍ରେମକର ପ୍ରିୟତମ ଜଗନ୍ନାଥେ ।। (୪)
ତୋ ହୃଦମନ୍ଦିର ଗର୍ଭଗୃହେ ଦେଖ ଯେ ନିରେଖି ।
ବିଜେ କରିଛନ୍ତି ସେହି ଚିତ୍ତଚୋରା ଚକାଆଖି ।।
ସେ ଆଖିରେ ଲାଖି ଯଦି ଯାଏ ବାରେ ତୋର ମନ ।
ଲଭିବୁ ପରମଶାନ୍ତି, ଆତ୍ମା-ଚରମନିର୍ବାଣ ।।
ତେଜି ପାର୍ଥିବ ଚିତ୍ର-ଚରିତ୍ର ସଂସାର-ବିଚିତ୍ର ।
ବ୍ରହ୍ମ ଦର୍ଶନେ ତୋ ନେତ୍ର ହେଉ ଯେ ପବିତ୍ର ।। (୫)
