STORYMIRROR

Bijaya Ketan Sahu

Inspirational

3  

Bijaya Ketan Sahu

Inspirational

ତୁମ ଆଖି....

ତୁମ ଆଖି....

2 mins
175


ତୁମ ଆଖିରେ ସକଳ ବ୍ରହ୍ମାଣ୍ଡ ବିରାଜିତ-

କେତେ ଯେ ଗ୍ରହ, ନକ୍ଷତ୍ର, ନୀହାରିକା, ଆକାଶଗଙ୍ଗା...,

ସେଇଥିପାଇଁ ତ ତୁମ ଆଖିରେ ପଲକ ପଡ଼େନା,

ସବୁ ଯେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ ନିମିଷକରେ-

ତୁମ ଆଖିର ପଲକ ପଡିଗଲେ ।

ତୁମେ ପରା ସ୍ରଷ୍ଟା,

ନିଜେ ଗଢିଥିବା ସୁନ୍ଦର ସୃଷ୍ଟିକୁ ଧ୍ୱଂସ କେବେ ଵି ଚାହିଁବନି..

ତେଣୁ ତ ତୁମର ଅପଲକ ନେତ୍ର,

ଚୀର ଅତନ୍ଦ୍ର ତୁମେ ।


ମୁଁ ଧ୍ୟାନସ୍ଥରେ ମୋ ଆଖି ବୁଜିଦେଲେ

ତୁମ ଚକାଆଖିକୁ ଦେଖେ

କାରଣ, ମୋ ଅନ୍ତଃଚେତନାରେ ତୁମେ ବିରାଜିତ,

ମୋ ହୃଦୟର ନିଭୃତକୋଣରେ ତୁମେ ବସିଅଛ-

ପରମାତ୍ମା ରୂପରେ...

ଆଉ, ମୁଁ ଯେବେ ମୋ ଆଖି ଖୋଲିଦିଏ ତୁମକୁ ହିଁ ପାଏ..

ତୁମର ସେ ଚକାଆଖି ଅତ୍ର- ତତ୍ର-ସର୍ବତ୍ର ବିରାଜିତ

ଭୂମି ଠାରୁ ଭୁମା ପର୍ଯ୍ୟନ୍ତ

ଭୂଲୋକ ଠାରୁ ଗୋଲକ ପର୍ଯ୍ୟନ୍ତ.

ବ୍ରହ୍ମାଣ୍ଡର ଅଣୁ-ପରମାଣୁରେ

ତୁମେ ହିଁ ତ ପରିବ୍ୟାପ୍ତ.

ତେଣୁ ତ ତୁମ ଅନ୍ୟ ନାମ ଵିଷ୍ଣୁ ।



ତୁମର ସେ ଚକାଆଖିରେ ମୋ ଆଖି ମିଶାଇ ପାରେନା'

ଲୁହ ସ୍ୱତଃ ଜକେଇ ଆସେ ତୁମକୁ ଦେଖିଲେ,

ମୋ ଆଖିରୁ ଲୁହ ଝରିଯାଏ..

ଆଉ, ସେ ଲୁହରେ ତୁମ ଶ୍ରୀପଦ୍ମପାଦକୁ ମୁଁ ଧୋଇଦିଏ,

ଏଇ ତ ମୋର ଆନନ୍ଦ,

ଉଁ ହୁଁ... ଆନନ୍ଦ ନୁହେଁ ପରମାନନ୍ଦ ।



ତୁମ ଚକାଆଖିର ପରିଧି ଭିତରେ

ମୋ ଜୀବନର ଗତି ।

ତେଣୁ, ତୁମକୁ ଛାଡି ଆଉ ଯିବି କୁଆଡେ??

ତୁମ ଆଖି ମୋ ଜନ୍ମଜନ୍ମାନ୍ତରର ସାକ୍ଷୀ..

ତୁମ ଆଖି ହିଁ ମୋ ଆଖିର ଜ୍ୟୋତି, 

ତୁମ ଆଖି ମୋ ଦର୍ଶନେନ୍ଦ୍ରିୟର ଶକ୍ତି ।



ନୀରଵଦ୍ରଷ୍ଠା ତୁମେ ଜଗତର,

ସେଥିପାଇଁ ତୁମ ଆଖି ଖୋଲା ରଖିଥାଅ ଦିନରାତି..

ପ୍ରତି ମୁହୂର୍ତ୍ତରେ ତୁମେ ମୋତେ ଦେଖୁଥାଅ..

ବାଟ ହୁଡ଼ିଗଲେ ଗଲେ ଠିକ୍ ରାସ୍ତାକୁ ମୋତେ ନେଇଆସ,

ଝୁଣ୍ଟି ପଡିଲେ ହାତଧରି ମୋତେ ଉଠେଇଦିଅ,

ମୁଁ କାନ୍ଦିଲେ ମୋତେ କୋଳେଇନିଅ ।

 ମୋ ମାତା, ପିତା, ପ୍ରଭୁ ଆଉ ମୋ ଦରଦୀବନ୍ଧୁ ପରା ତୁମେ...



ତୁମର ସେ ସୋହାଗଭରା ଆଖି ମୋତେ ସବୁବେଳେ ଇସାରା କରେ,

ତୁମ ପାଖକୁ ଚାଲିଯିବା ପାଇଁ..

ତୁମ ସାଙ୍ଗରେ କଥା ହେବା ପାଇଁ...

ମୁଁ ଚାଲିଯାଏ ତୁମ ପାଖକୁ।

ତୁମେ ମୋ ସାଙ୍ଗେ କଥା ହୁଅ,

ତୁମେ ତୁମ ଅତୀତ ସ୍ମୃତିମାନଙ୍କୁ ଝୁରିହୁଅ..

ମନ୍ତ୍ରମୁଗ୍ଧ ପରି ମୁଁ ଶୁଣି ଚାଲିଥାଏ କେତେକଥା....

ଅଯୋଧ୍ୟାର କଥା, ବୃନ୍ଦାବନର କଥା, କେତେ କ'ଣ...

ତୁମେ ପୁଣି ବଂଶୀବାଦନ କର, ମୁଁ ବିଭୋର ହୋଇଯାଏ....



ଶୁଣିଛି ତୁମ ଆଖିରୁ ଵି ଲୁହ ଝରେ..

ଭକ୍ତ ଦୁଃଖରେ ଦୁଃଖୀ ହୋଇ ତୁମେ ଵି କାନ୍ଦ...

କିନ୍ତୁ, ନା ପ୍ରଭୁ ! ମୋ ପାଇଁ କେବେ କାନ୍ଦିବନି

ମୁଁ ଦେଖିବାକୁ ଚାହେଁ ତୁମ ହସ ହସ ମୁହଁ

ତୁମରି ସେ ହସ ହସ ମୁହଁ ଦେଖିଲେ ମୁଁ ମୋ ଦୁଃଖ ଭୁଲିଯାଏ।

ମୋ ଦୁଃଖପାସୋରା ପରା ତୁମେ...

କିନ୍ତୁ ହଁ, ମୁଁ ମଲା ପରେ,

ଯଦି ଦୁଇଟୋପା ଲୁହ ମୋ ଜୁଇରେ ଆହୁତି ଦେବ-

ମୁଁ ଧନ୍ୟ ହୋଇଯିବି ନାଥ ।

ସେଇଥରକ ମୋ ପାଇଁ କାନ୍ଦିବ..

ତୁମ ଛଡା ମୋର ଆଉ କିଏ ଅଛି ଯେ,

ମୋ ପାଇଁ କାନ୍ଦିବ ମୁଁ ମରିଗଲା ପରେ !!

ତୁମ ଆଖିଲୁହର ଆହୁତି ପାଇ

ମୁଁ ଧାଇଁ ଯାଉଥିବି ତୁମ ପାଖକୁ

ତୁମ ଶ୍ରୀଚରଣରେ ବିଲୀନ ହେବାପାଇଁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational