ତଅପୋଇର ବିଳାପ
ତଅପୋଇର ବିଳାପ


ସାତ ସମୁଦ୍ର ଆଉ ତେର ନଈର
ସେ ପାରିରେ କେ ଡ଼ାକଇ ।
ଡାକୁଛି ଆଜି ବାଲି, ଜାଭା ବୋର୍ଣ୍ଣିଓ
ଆଖିରୁ ଲୁହ ଝରାଇ ।।
ଆ' ରେ ସାଧବ ତୋ ବୋଇତକୁ ବାହି
ତୋତେ ଆଜି ମୁଁ ଝୁରଇ ।
ଏ କୂଳେ କାନ୍ଦଇ ମୋ ଉତ୍କଳମାତା
ମୋ ଧନ ଅଛୁ ତୁ କାହିଁ ??
ସେ କ୍ରନ୍ଦନେ କେତେ ଆକୁଳତା ଭରା
ଶତ ସ୍ମୃତି ଉଠେ ଚେଇଁ ।
ପୁନେଇର ଜହ୍ନ ମଉନେ କାନ୍ଦଇ
ସାଉଁଟା ସ୍ମୃତିକୁ ନେଇ ।।
ତଅପୋଇ ମୋର ଅତି ନିରୀମାଖୀ
କାନ୍ଦୁଅଛି କଇଁ କଇଁ ।
କେବେ ଯେ ଫେରିବେ ତା ସାତ ଭାଇ
ରହିଛି ସେ ବାଟ ଚାହିଁ ।।
ମା ମଙ୍ଗଳାଙ୍କ ପାଶେ ମନାସିଛି ସେ
ତା' ଭାଇର ଶୁଭ ପାଇଁ ।
ଜଗତଜନନୀ ତୁ ଥିବୁ ଲୋ ସଦା
ମୋ ଭାଇର ସାହା ହୋଇ ।।
ପତିତପାବନ କାଳିଆ ସାଆନ୍ତ
ଶ୍ରୀପାଦକୁ ପୁଣି ଧ୍ୟାୟୀ ।
ତଅପୋଇ କହେ ମୋ ଭାଇକୁ ପ୍ରଭୂ
ରଖିବ ଘଣ୍ଟ ଘୋଡାଇ ।।
ଦରିଆ ସେ ପାରି ଯାଇଛନ୍ତି ପରା
ମୋହରି ଯେ ସାତ ଭାଇ ।
ଧନ, ରତ୍ନ ଯେତ
େ ଆଣିବେ ସେମାନେ
ମୋ ପାଇଁ ରୂପା କୁଲେଇ ।।
କୀର୍ତ୍ତିଚନ୍ଦ୍ରିକା କାର୍ତ୍ତିକ ପୂର୍ଣ୍ଣମୀର
ଯାଇଅଛି ସ୍ବପ୍ନ ହୋଇ ।
ସତେ କି ଫେରିବେ ଭାଇମାନେ ମୋର!
ତଅପୋଇ ଯେ ଭାବଇ ।।
କାଳର କରାଳ ଗର୍ଭ ଭିତରେ ଯେ
ବଞ୍ଚିଛି ସେ ସ୍ମୃତି ହୋଇ ।
ସାଧବ ବୋଇତ ଯାଇଅଛି ଭାଙ୍ଗି
ଆଉ ନାହାନ୍ତି ତା' ଭାଇ ।।
ସାତ ଦରିଆର ଊର୍ମିମାଳା'ପରେ
ବିଜୟନେତ ଉଡାଇ ।
ବିଦେଶୀଙ୍କୁ ଆଉ କେ କରିବ ନିଜର
ନିର୍ମାଲ୍ୟ କଣିକା ଦେଇ ।।
ବଣିଜ କରିବ କିଏ ଆଉ କହ
ଦେଶ-ବିଦେଶକୁ ଯାଇ ।
ସୁନାର ଓଡିଶା କିଏ ସେ ଗଢ଼ିବ
ବିଭବ ଆଣିବ ବୋହି ।।
"ବାଣିଜ୍ୟେ ବସତି ଲକ୍ଷ୍ମୀଃ" ପରା ଲୋ
ଏ କଥା ଥିଲା ସେ କହି ।
ଏ କଥା ସତେ କି ବୁଝିବ ଓଡିଶା
ଆଉ ସେ ଅତୀତ ନାହିଁ ।।
ସାଗର ବିଜନ ବେଳାଭୂମି ପରେ
କାନ୍ଦୁଛି ମୋ ତଅପୋଇ ।
ବିଳାପ ସୁରରେ କହୁଛି ସେ ମୋତେ
ଦିଅ ଅତୀତ ଫେରାଇ ।।