STORYMIRROR

Bijaya Ketan Sahu

Inspirational

4  

Bijaya Ketan Sahu

Inspirational

ଚାଲ ଫେରିଯିବା ଆପଣା ଭୁବନେ

ଚାଲ ଫେରିଯିବା ଆପଣା ଭୁବନେ

1 min
328


ଯାହାକୁ ଦେଖୁଛ ବନ୍ଧୁ ଏହି କ୍ଷଣି

       ଢଳ ଢଳ ରୂପ ଯୌବନେ ସୁନ୍ଦର,

ଏ ବର୍ଣ୍ଣିଳ ବିଭା ନୁହେଁ ଚିରସ୍ଥାୟୀ 

       ଅସାର ଏଇ ଯେ ଅସ୍ଥାୟୀ ସଂସାର ।।


ବିଳାସେ ମଜ୍ଜିତ ଶରୀର ତୁମର

        ନୁହଇ କଦାପି ଶାଶ୍ୱତ ଚିନ୍ମୟ,

ଚର୍ମ ଆବରଣେ ରକ୍ତ-ମାଂସ ତନୁ

        ମଳ-ମୂତ୍ର ସହ ପୂତି ଗନ୍ଧମୟ ।।


ଯାହା ଆଜି ଅଛି ପୁଣି କାଲି ନାହିଁ

       ଅଳିକ ଏ ମାତ୍ର ଭବମାୟା ସୁଖ,

ମାନବ ଅନିତ୍ୟ ସୁଖ ପଛେ ଧାଇଁ

       ନିଜପାଇଁ ସିନା ଅର୍ଜି ଥାଏ ଦୁଃଖ ।।


ଭଲପାଇବାର ସଂଜ୍ଞା କେବଳ କି

       ଏ ପାର୍ଥିବ ପଦାର୍ଥରେ ସୀମାବଦ୍ଧ !

ମାୟାର ଅନଳେ ପକାଇ ନିଜକୁ

       ବାରବାର କିଆଁ ହୁଅ ଦଗ୍ଧୀଭୂତ ??


ଅନନ୍ତ ଜୀବନଧାରା ଗତିମୟ

       ଜନ୍ମ-ମୃତ୍ୟୁଚକ୍ରେ ନିତ୍ୟ ନିରନ୍ତର,

ମାୟାରେ ଭ୍ରମିତ ଆତ୍ମାର ଭ୍ରମଣ

      ଅଗଣିତ ଯୋନି ଯୁକ୍ତ କଳେବର ।।


ଏ ଜୀବନ ଏକ ନିଶିଥ ସପନ

       ସ୍ବପ୍ନେ ମନେହୁଏ ସବୁ ଯେ ବାସ୍ତବ,

ଜଡ ଜଗତେ କେ ନୁହେଁ ଆପଣାର

        ନିଦ୍ରା ତୁଟିଗଲେ ସ୍ୱପ୍ନ ସରିଯିବ ।।


ତନ୍ଦ୍ରା ତେଜି ଜୀବ କର୍ଣ୍ଣଡେରି ଶୁଣ

     ଦିକ୍-ଦିଗନ୍ତେ ପ୍ରକମ୍ପିତ କୃଷ୍ଣ ନାମ,

କୃଷ୍ଣ ପ୍ରେମ ସିନ୍ଧୁନୀରେ ଝାମ୍ପ ଦେଇ

       ଭକ୍ତି-ତରଙ୍ଗରେ ଭାସ ଅବିରାମ ।।


ଶୁଣ ସେ ମୃଦଙ୍ଗଧ୍ୱନୀ କରତାଳ

       ସୁମଧୁରେ କିଏ ଗାଏ କୃଷ୍ଣ କୃଷ୍ଣ,

ସେ କୃଷ୍ଣନାମ ଶ୍ରବଣେ ପାପ କ୍ଷୟ

      ଲଭଇ ଜୀବ ଗୋଲକ ବୃନ୍ଦାବନ ।।


ଏ ଗୋଲକ ବୃନ୍ଦାବନ ତୋର ଘର,

    ନିତ୍ୟ ନୀଳାଚଳ ବିଭୁ-ଲୀଳାଧାମ

ପରମ ପ୍ରେମିକ ସେ ଶ୍ୟାମସୁନ୍ଦର

   ରାସେ ରସମୟ ଶ୍ରୀକ୍ଷେତ୍ର ସୁଠାମ ।।


ପ୍ରେମ କର ଜୀବ ପରମ ପ୍ରେମୀକୁ

     ଭଜ ଶାଶ୍ୱତ ଶ୍ରୀ ଗୋବିନ୍ଦ ଚରଣ,

ଚାଲ ଫେରିଯିବା ଆପଣା ଭୁବନେ

     ପରମ ସତ୍ୟ ଗୋଲକ ବୃନ୍ଦାବନ ।।


ବେଳ ନାହିଁ ଶୀଘ୍ର ଫେରିବାକୁ ହେବ,

     କାଳରାତ୍ରି ପରା ଆସେ ଯେ ଘନେଇ,

ଦେଖ ଅଦୂରେ ମଧୁରେ ବଂଶୀବାଇ

    ହାତଠାରି ଡାକୁଅଛି ସେ କହ୍ନେଇ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational