ଆଖିର ଲୁହରେ କିଛି ହୃଦୟର କଥା..
ଆଖିର ଲୁହରେ କିଛି ହୃଦୟର କଥା..
ହୃଦୟର କଥା ଅନ୍ତର ବେଦନା
ତୁମକୁ ପାରେ ମୁଁ କହି,
ଲୁଚି ଲୁଚି କାନ୍ଦେ ତୁମ ସମ୍ମଖରେ
ଆଖିରୁ ଲୁହ ଝରାଇ ।
ଜଗତଜନେ କି' ବୁଝିବେ ମୋ ଦୁଃଖ,
ଦେଖିବେ କିଆଁ ମୋ ଲୁହ !,
ଆପଣାର ବୋଲି ତୁମ ପାଶେ କାନ୍ଦେ
ହୃଦରୁ ଉଠଇ କୋହ ।
ମୋର ଦୁଃଖ ଯେବେ ତୁମକୁ ମୁଁ କହେ
କାନ୍ଦିପାରେ ମନବୋଧି,
ବିସ୍ତାରି ପ୍ରଲମ୍ବ ଶ୍ରୀଭୁଜରେ ମୋତେ
ତୁମ ବକ୍ଷେ ଦିଅ ବାନ୍ଧି ।
ଅବ୍ୟକ୍ତ ପୁଲକ ଅମୃତର ଧାରା
ଖେଳିଯାଏ ମୋ ଶରୀରେ,
ତପ୍ତପ୍ରାଣ ମୋର ଶୀତଳେଇ ଯାଏ
ତୁମ ସ୍ନେହ ପରଶରେ ।
ଶ୍ରୀହସ୍ତରେ ଲୁହ ଦେଉଥାଅ ପୋଛି
କରି ମୋତେ କୋଳାଗ୍ରତ,
ତୁମରି ପ୍ରେମର ସିନ୍ଧୁ ସୁଗଭୀରେ
ହୁଏ ମୁହିଁ ଦ୍ରବିଭୁତ ।
ମୁଁ ଯେବେ କାନ୍ଦଇ ତୁମେ କାନ୍ଦୁଥାଅ
ଦୁଃଖେ ହୋଇ ସମଭାଗୀ,
ଲୁହ ଝରୁଥାଇ ତୁମ ନୟନରୁ
ମୋ ଆଖିର ଲୁହ ଦେଖି ।
ମୁହିଁ ସିନା କାନ୍ଦେ ନିଜ ପାଇଁ ନାଥ,
ତୁମେ କାନ୍ଦ ମୋର ପାଇଁ,
ତୁମପରି ଆନ ଦ୍ଵିତୀୟ ଦରଦୀ
ଜଗତେ ମୁଁ ଦେଖି ନାହିଁ ।
ଏଡ଼େ ସ୍ୱାର୍ଥପର ଅଟଇ ମୁଁ ପ୍ରଭୁ
ମୋର ଦୁଃଖେ ମୁହିଁ କାନ୍ଦେ,
ତୁମ ପାଇଁ ମୋର ଲୁହ ଝରି ନାହିଁ
ସେ ଲାଗି ନିଜକୁ ନିନ୍ଦେ ।
ଏ ଆଖିରୁ ମୋର ଲୁହ ଝରିଯାଉ
ତୁମ ପାଇଁ ଅବିରତ,
ମୋ ଆଖି ଲୁହରେ ଧୋଇ ଦେଉଥିବି
ତୁମ ସୁକୋମଳ ପାଦ ।
ଆଉ ପୋଛନାହିଁ ମୋ ଆଖିର ଲୁହ
ଝରିବାକୁ ଦିଅ ତା'ରେ,
ମୋ ଲୁହରେ ମହାସ୍ନାନ କରୁଥିବ
ପାର୍ଥନା କଞ୍ଜ ପୟରେ ।
