STORYMIRROR

Bijaya Ketan Sahu

Inspirational

4  

Bijaya Ketan Sahu

Inspirational

ଇଷ୍ଟଭୃତି

ଇଷ୍ଟଭୃତି

1 min
321


ବିଶ୍ୱପିତା ନିତ୍ୟ ମହାଭିକ୍ଷୁ ସାଜି

      ହସ୍ତ ପ୍ରସାରିଣ ମାଗନ୍ତି ତୋତେ

ନିଷ୍ଠା ବିନିନ୍ଦିତ ଆଗ୍ରହ ଉଚ୍ଛଳେ

   ଯାହା ପାରୁ ଦେଇପକା ତୁ ମୋତେ (୧)


ଜୀବନେ ଦେଇଛି ଅଜସ୍ର ତୋତେ ମୁଁ,

        କିନ୍ତୁ ପ୍ରେମଭିକ୍ଷା ମାଗଇ ଆଜି

ତୋହରି ଭକ୍ତି ନୈବେଦ୍ୟ ଟିକକ

      ମୋ ପାଇଁ ଅଟଇ ଭୋଗ୍ୟର ପୁଞ୍ଜି (୨)


ପାପ କଳଙ୍କର କାଳିମାରେ ତୋର

       ଜୀବନ ହୋଇଛିରେ ଦୁର୍ବିସହ

ବିକ୍ଷୁବ୍ଧ ପ୍ରକୃତି ଦୁର୍ବିପାକ ଅସ୍ତ୍ରେ

       ଆକ୍ରମଣ କରଇ ଅହରହ (୩)


କାଳର କରାଳ କୁଟିଳ ଗତିରେ

       ମହାକାଳର ଏ ମହାତାଣ୍ଡଵ

ମାନବ ସଭ୍ୟତା ବିଲୁପ୍ତ ନିମନ୍ତେ

     ସଇତାନ ଦିଏ ପିଶାଚି-ରାବ (୪)


ପରମପ୍ରେମୀ ସେ ଦରଦୀ ଈଶ୍ୱର

          ବଞ୍ଚାଇବାକୁ ତୋହରି ପ୍ରାଣ

ଆକୁଳ ସ୍ୱରରେ ବ୍ୟାକୁଳେ କୁହନ୍ତି

     କରି କି ପାରିବୁ ମୋତେ ଭରଣ?? (୫)


ଇଷ୍ଟଭରଣର ଆବେଗତା ନେଇ

        ଭିକ୍ଷାଥାଳ ତାଙ୍କ କର ପୂରଣ

ତେବେ ହିଁ ତୋ ସତ୍ତା ସମ୍ବର୍ଦ୍ଧନା ପଥେ

      ଜୀବନେ ହେବ ମଙ୍ଗଳ ବିଧାନ (୬)


ସେ ମହାବରେଣ୍ୟ ପ୍ରତି ପ୍ରଭାତରେ

         ଭିକ୍ଷାଥାଳକୁ ହସ୍ତରେ ଧରି

ତୋହରି ଦୁଆରେ ଚାହାଁନ୍ତି ତୋଠାରୁ

        ପ୍ରେମର ଭିକ୍ଷା ଅଞ୍ଜଳୀ ଭରି (୭)


ପ୍ରେମର କାଙ୍ଗାଳ ସେ ଜଗତନାଥ

    ଆସନ୍ତି ତୋ ପାଶେ କେତେ ଆଶାରେ

ନିରାଶାରେ ତାଙ୍କୁ ନ'ଦିଅ ଫେରାଇ

      ପ୍ରେମ-ଭିକ୍ଷା ଦିଅ ତାଙ୍କ ପାଦରେ (୮)


ପରମପୁରୁଷ ପରିତୃପ୍ତି ସିନା

      ପ୍ରକୃତିକୁ କରଇ ଶାନ୍ତ ସ୍ନିଗ୍ଧା

ଇଷ୍ଟଭୃତି ନିତ୍ୟ-ଯଜ୍ଞ ସ୍ୱରୂପ

     ଜୀବନରେ ଆଣଇ ଶାନ୍ତି-ସୁଧା (୯)


ମହାକାଳ ଯେତେ ହେଉନା କ୍ରୁର

       ଦୟାଲଙ୍କ ପାଦେ ଅବଦଳିତ

ଇଷ୍ଟଭୃତିର ମହାଅର୍ଘ୍ୟ ଦେଇ

     ତାଙ୍କ ଠାରେ ନିତ୍ୟ ହୁଅ ତୁ ଯୁକ୍ତ (୧୦)


ଭାବି ଠାରେ ଭାବ ଘୁଞ୍ଚାଏ ଅଭାବ

      ନିରସନ କରେ ଦାରିଦ୍ର୍ୟ ବ୍ୟାଧି

ତାଙ୍କୁ ଯିଏ ଦିଏ, ଧନ୍ୟ ହୁଏ ସିଏ

      ଜୀବନରେ ଆଣେ ଯୋଗ୍ୟତା-ସିଦ୍ଧି (୧୧) 


ବସ୍ତୁ ମାଧ୍ୟମରେ ଭାବକୁ ତୋହର

      ତାଙ୍କ ଶ୍ରୀଚରଣେ କର ଅର୍ପଣ

ବସ୍ତୁ ବିନା ସୁଦୁ ଭାବ-ପ୍ରବଣତା

    ହୋଇଥାଏ ଯେ କିନ୍ତୁ ମୂଲ୍ୟହୀନ (୧୨)


ଭାବ ସିନା ତୋର ହେବ ସଂଚାରିତ

       ବସ୍ତୁ ନୈବେଦ୍ୟରେ ଇଷ୍ଟଙ୍କ ଠାରେ

ପତ୍ର, ପୁଷ୍ପ, ଫଳ, ଶଶ୍ୟ, ତ୍ୱୟ, ଅର୍ଥ

        ଯାହା ପାର ଦିଅ ତାଙ୍କ ପୟରେ (୧୩)


ନ ଯା'ନ୍ତୁ ପ୍ରଭୁ ଫେରି ଶୁନ୍ୟ ହସ୍ତରେ

        ଗଙ୍ଗାଜଳରେ କର ଗଙ୍ଗାପୂଜା

ଇଷ୍ଟଭୃତି-ଯୋଗ ତୋ ସାଧନା ପଥେ

        ଐଶୀ-ଚେତନାର ବିଜୟ ଧ୍ବଜା (୧୪)


ଇଷ୍ଟଗୁରୁଙ୍କୁ ତୁହି କର ବରଣ

        ଇଷ୍ଟଭୃତି ତାଙ୍କ ଶ୍ରୀପାଦେ ଦିଅ

ଇଷ୍ଟଭୃତି ବିନା ପୂଣ୍ୟ ଗୁରୁଦୀକ୍ଷା

       ଜାଣିଥା' କେଵେ ହେଁ ଚେତନ ନୁହଁ (୧୫)


ଜୀବନ-ବୀଣାରେ ବାଜିଉଠୁ ତୋର

          ପ୍ରେମ-ଭକ୍ତିମୟ ସଙ୍ଗୀତ-ରାଗ

ପ୍ରିୟପରମଙ୍କ ଶ୍ରୀଚରଣ ତଳେ

           ଇଷ୍ଟଭୃତି ନିତ୍ୟ ରଖ ସଜାଗ (୧୬)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational