ରାବଣ ପୋଡ଼ି
ରାବଣ ପୋଡ଼ି
ମିଛ ରାବଣକୁ ପୋଡ଼ିବାକୁ ଯାଇ ମରନ୍ତି ନିରୀହ ଲୋକ,
ଅସଲ ରାବଣ ଫୁଟାଇ ସେ ବାଣ ମିଛରେ ଟେକନ୍ତି ବେକ |
ଦଶହରା ଦିନ ରାବଣ ମରିନି ମରିଛି ମହିଷାସୁର,
ପାଗଳ ମଣିଷ ଅଜ୍ଞାନ ପଣରେ ଭାବନ୍ତି ନିଜକୁ ବୀର |
ଶବ୍ଦ ପ୍ରଦୂଷଣ ବାୟୁ ପ୍ରଦୂଷଣ ସମାଜର କରେ ହାନି,
ଚାନ୍ଦା ମାଗିନେୟ ଗୁଣ୍ଡାଦଳ ଲୋକ ପିଉଛନ୍ତି ନିଶାପାଣି |
ରାବଣ ପୋଡ଼ିରେ କେଉଁ ଲୋକଟିର ଦୁଃଖ ହୁଏନାହିଁ ଦୂର,
ଅସୁରଙ୍କ ଭଳି ମଦୁଆ ମାତାଲ କରୁଥା'ନ୍ତି ରେ-ରେକାର |
ସଭିଏଁ ଡ଼ରନ୍ତି ଗୁଣ୍ଡା-ମାତାଲକୁ ଚାନ୍ଦା ଦେଇଥା'ନ୍ତି ଡରି,
ନେତାମାନେ ଆସି ନିଆଁଙ୍କୁ ଲଗାନ୍ତି ମିଛ ଧନୁଶର ଧରି |
ମିଛରେ ମିଛରେ ବାଣଫୁଟେ ସିନା ନକଲି ରାବଣ ମରେ,
ଅସଲ ରାବଣ ବୁଲନ୍ତି ସହରେ ଜନତାର ଦୁଃଖ ବଢେ |
