STORYMIRROR

Pranati Mahapatra

Inspirational

5.0  

Pranati Mahapatra

Inspirational

ପୂଣ୍ୟମୟୀ ଜନନୀ ମୋ ମାଆ

ପୂଣ୍ୟମୟୀ ଜନନୀ ମୋ ମାଆ

1 min
13.4K


 ଏ ପୁଣ୍ୟ ଧରାରେ ପୂଣ୍ୟମୟୀ କୋଳେ

ପୁଣ୍ୟଫଳେ ହେଲି ଜାତ,

ଧନ୍ୟ ସେ ଜନନୀ କରୁଛି ପ୍ରଣାମ

ନମସ୍ୟ ହେ ପଞ୍ଚ ମାତ ।

ଜନନୀ ଜଠରେ ରହିଥିଲି ଯେବେ

ସେ ମୋ ମାଆ ଜାଣିଥିଲି,

ଭୂମିଷ୍ଠ ହୋଇଣ କୁଆଁ କୁଆଁ ହୋଇ

ଖାଇବାକୁ ମାଗୁଥିଲି।

ତା ଅମୃତ ମଧୁ ଦେଇ ଭରିଥାଏ

ମୋର ଏହି ଉଦରକୁ,

ତା ସରି କେ ହେବ ଏ ମର୍ତ୍ତ୍ୟ ମଣ୍ଡଳେ

ଜନ୍ମଦାତ୍ରୀ ମାଆ ଡାକୁ।

ମୋ ମାଆ (୧)

ଭୋକର ଦାଉରେ ହରବର ହେଲେ

ଆସରା ଦିଏ ଯେ କୋଳେ,

କଷଣ କରିଣ ଶସ୍ୟ ତୋଳି ନେଲେ

କୁଟୁମ୍ବ ମୋହର ଚଳେ।

ସର୍ବଂସହା ସେ ତ ପାଟି ନ ଫିଟାଏ

ସବୁ ଦୁଃଖ କଷ୍ଟ ସହେ,

ବିଶାଳ ହୃଦରେ ପାପ ତାପ ସହି

ପୂଣ୍ୟବନ୍ତ କରି ଦିଏ।

ସିଏ ତ ଆଉ କେ ନୁହେଁ

ଜନ୍ମଦାତ୍ରୀ ଭଳି ଆଉ ଏକ ମୋର

ଧରଣୀ ମା’ ତ ସିଏ।(୨)

ପୃଥିବୀ ମାଆର ଶୀତଳ ଭଣ୍ଡାର

ପୁଣି ତା’ ହୃଦ ସମ୍ପଦ,

ତାର ଛାୟା ତଳେ ବସିଗଲେ କ୍ଷଣେ

ହଟିଯାଏ ମନୁ ଖେଦ।

ଖାଦ୍ୟ,ବସ୍ତ୍ର,ଆଉ ବାସଗୃହ ପୁଣି

ଶିର ପରେ ରହେ ଜଗି,

ତା ବିଶାଳ ବକ୍ଷ ଦାନ କରେ ସିଏ

ଜୀବନରେ ସବୁ ଭୋଗି।

ସିଏ କିଏ ଜାଣ ଭାଇ

ଆଉ କେହି ନୁହେଁ ବୃକ୍ଷ ଦେବୀ ସେ

ତାକୁ ବୃକ୍ଷ ମାତା ବୋଲେ ମୁହିଁ।( ୩ )

ଶୈଶବ କାଳରେ ମାତୃ ଦାନ ବଳେ

ଧୀରେ ଧୀରେ ବଡ଼ ହୁଏ,

ବୟସ ବଢିଲେ ସେ ଅମୃତ ଖୋଜେ

ତାକୁ ଆଉ ଏକ ମାଆ ଦିଏ।

ଅମୃତ ସମାନ ତା ଅମୃତ ଦାନେ

ମୁଁ ସୁସ୍ଥ ସବଳ ହୁଏ,

କାମ ଧେନୁ ସେହି ନିସ୍ଵାର୍ଥ ତା ଦାନ

ଗୋମାତା ପରା ସିଏ।( ୪)

ବଡ଼ ହୋଇ ବୁଦ୍ଧି ଜ୍ଞାନର ନିମିତ୍ତ

ସୁଶିକ୍ଷାର ପ୍ରୟୋଜନ,

ମାତା ପରି ଗୁରୁ ଜ୍ଞାନ ଦାନ କରି

ଦିଅନ୍ତି ଦିବ୍ୟ ଜୀବନ ।

ଏ ମାୟା ସଂସାରୁ ଅନ୍ଧାର ପଥରୁ

ଆଲୋକେ ଦେଖିବା ପାଇଁ,

ଗୁରୁ ମାତା ରୂପେ ପ୍ରକଟି ମୋ ଆଗେ

ଅନ୍ଧାର ଦେଲେ ଦୂରେଇ।

ସିଏ କେହି ନୁହନ୍ତି ରେ ଭାଇ,

ଏ ଧରା ବକ୍ଷରେ ସତ୍ୟ ପଥ ପାଇଁ

ସାରଥୀ ସାଜନ୍ତି ରହି,

ମୋ ଗୁରୁ ମାତା ପରା ସେହି।( ୫ )

ଏ ଧରାଧାମରେ ଏହି ପଞ୍ଚମାତ

ଦେଖାନ୍ତି ଦିବ୍ୟ ଆଲୋକ,

କରୁଛି ଶପଥ ସେ ପାଦ ସେବିଲେ

ଜୀବନ ହେବ ସାର୍ଥକ।

ଘେନ ପ୍ରଣିପାତ ଘେନ ପଞ୍ଚ ମାତ

ଆଶିଷ ଦିଅ ହେ ଢାଳି,

ଅବୋଧ ସନ୍ତାନ ଦୋଷ କ୍ଷମ ଆମ

କରୁଅଛୁ ଏହି ଅଳି।

ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ଫକୀରମୋହନ ନଗର , ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational